ଆହତ ସୈନିକଙ୍କୁ ସେବା ପାଇଁ ସୁଯୋଗ ଦେବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ସ୍ବେଚ୍ଛାସେବୀ
ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ) : ଭାରତୀୟ ସେନା ବାହିନୀର ଆହତ ଜବାନ ମାନଙ୍କ ସେବା ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଯୁବ ସ୍ବେଚ୍ଛାସେବୀ ପ୍ରତାପ ମହାପାତ୍ର । ଏକ ସ୍ବେଚ୍ଛାକୃତ ସତ୍ୟପାଠ ସହ ଏହି ଚିଠିକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ପ୍ରତାପ ଗତ କିଛି ବର୍ଷ ଧରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ବିଭିନ୍ନ ଅଞ୍ଚଳରେ ସେବା କରନ୍ତି । ଅନେକ ସମୟରେ ଅସହାୟ ଶିଶୁ , ମହିଳା , ଅପରିଚିତ ରୋଗୀଙ୍କ ବିନା ଦ୍ବିଧାରେ ସେବା କରିବା ସହ ଦୁର୍ଘଟଣା ସମୟରେ ରୋଗୀଙ୍କ ସେବା କରି ଆସିଛନ୍ତି ।
ଜଣେ ପାରା ଲିଗାଲ ସ୍ବେଚ୍ଛାସେବୀ ଭାବେ ଗରିବ , ଅସହାୟ , ତଥା ଅନ୍ୟାୟରେ ପୀଡିତ ଲୋକଙ୍କୁ ନିଃଶୁଳ୍କ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି । ଫୁଲୱାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ପରେ ସ୍ବେଚ୍ଛାସେବୀ ପ୍ରତାପଙ୍କ ମନରେ ଗଭୀର ଆଘାତ ଲାଗିଥିଲା । ସୀମାରେ ଅନେକ ସମୟରେ ସୈନିକମାନେ ଆହତ ହୋଇ ଥାଆନ୍ତି ।
ନିଜେ ସୈନ୍ୟ ବାହିନୀରେ ଯୋଗ ଦେଇ ପାରି ନଥିଲେ ମଧ୍ୟ ଫୁଲୱାମା ଆକ୍ରମଣ ପରେ ସୈନିକ ମାନଙ୍କ ସେବା ପାଇଁ ସେ ଆଗଭର ହୋଇଛନ୍ତି । ଏଥିପାଇଁ ସେ ଏକ ସତ୍ୟପାଠ କରିବା ସହ ସୈନ୍ୟବାହିନୀର ସେବା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ।