ମରିଯାଉଛି ‘ସିଙ୍ଗିଡ଼ା’, ଦିନେ ଥିଲା ଚି‌ର‌ସ୍ରୋତା, ‌ଏବେ କାଉଁଶୀ ଜଙ୍ଗଲ

କଣିହାଁ: ଦିନେ ଚିରସ୍ରୋତା ଥିବା ନଦୀଟି ବର୍ଷ କେଇଟାରେ ମରିଯାଇଛି। ଯେଉଁଠି ବର୍ଷ ତମାମ୍‌ ପାଣି ରହୁଥିଲା ସେଠାରେ ଏବେ କାଉଁଶୀ ଗଛ ଉଠିଗଲାଣି। ସ୍ଥିତି ଏମିତି ହୋଇଛି ଯେ, ନଦୀର ଧାର ବି ଆଉ ଦିଶୁନାହିଁ। ଗୋଟିଏ ବ୍ୟାରେଜ୍ କେମିତି ଗୋଟିଏ ନଦୀକୁ ହତ୍ୟା କରିଛି ତାହାର ଜ୍ବଳନ୍ତ ଉଦାହରଣ କଣିହାଁ ବ୍ଲକ୍‌ର ‘ସିଙ୍ଗିଡ଼ା’ ନଦୀ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ କଣ୍ଟେଇକୂଳିଆ ଅଞ୍ଚଳରୁ ଛେଣ୍ଡିପଦା ବ୍ଲକ୍‌ ଦେଇ କଣିହାଁ ବ୍ଲକ୍‌ର ବ୍ରାହ୍ମଣୀ ନଦୀକୁ ସଂଯୋଗ କରୁଥିବା ଏହି ନଦୀ ଏବେ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି। କେଉଁ ଆବହମାନ କାଳରୁ ସୃଷ୍ଟି ଏହି ନଦୀ ଦିନେ ଲୋକଙ୍କ ଜୀବନରେଖା ଥିଲା। କିନ୍ତୁ ସମଲ୍‌ ବ୍ୟାରେଜ୍ ନିର୍ମାଣ ହେବା ପରେ ଏହି ନଦୀଟି ଧୀରେଧୀରେ ପୋତି ହୋଇ ଏବେ ଏକଦମ୍‌ ଶୁଖିଲା ପଡ଼ିଥିବା ଦେଖିବାକୁ ମିଳିଛି।

ଆଗେ ଏହି ନଦୀ କୂଳରେ ବସବାସ କରୁଥିବା ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, ଛେଣ୍ଡିପଦା, ତାଳଚେର ଓ କଣିହାଁ ବ୍ଲକ୍‌ର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ମା’ ଥିଲା ‘ସିଙ୍ଗିଡ଼ା’। ଏହାରି ପାଣିକୁ ବ୍ୟବହାର କରି ଲୋକେ ଚାଷବାସ କରୁଥିଲେ। ପିଇବା ପାଇଁ ବି ବ୍ୟବହାର କରୁଥିଲେ। ମାତ୍ର ବ୍ୟାରେଜ ହେବା ପରେ ବ୍ରାହ୍ମଣୀ ନଦୀକୁ ଏହି ନଦୀର ଜଳ ଆଦୌ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ବର୍ଜ୍ୟବସ୍ତୁ ଗଚ୍ଛିତ ହେବା ଫଳରେ ନଦୀଟି ପୋତି ହୋଇ ଯାଇଛି। କଳକାରଖାନାର ବର୍ଜ୍ୟଜଳ ମଧ୍ୟ ଏଥିରେ ପଡ଼ୁଛି। ଯାହାଦ୍ବାରା ନଦୀଗର୍ଭ ପୋତି ହୋଇ ପାଣିସ୍ରୋତ ଆଉ ଉପର ମୁଣ୍ଡରୁ ତଳ ମୁଣ୍ଡକୁ ଆସୁ ନଥିବା ଜଣାପଡ଼ିଛି। ନଦୀ ଶୁଖିଲା ପଡ଼ି ଅନାବନା ଘାସ ଓ ଗଛ ଉଠି ଜଙ୍ଗଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। କଣିହାଁ ବ୍ଲକ୍‌ର ସାନତ୍ରିବିଡ଼ାଠାରୁ ବଲାଙ୍ଗୀ ପର୍ଯ୍ୟନ୍ତ ନଦୀ ଭିତରେ କାଉଁଶୀ ବଣ ସୃଷ୍ଟି ହୋଇଛି।

Spread the love