ପରଲୋକରେ ପୁନୀତ, ଦାନ କରିଯାଇଥିବା ଦୁଇ ଆଖିରେ ଦୁନିଆ ଦେଖିଲେ ୪ ଜଣ, କେମିତି ହେଲା ସମ୍ଭବ ?

ବେଙ୍ଗାଲୁରୁ ୦୧/୧୧: କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ବିୟୋଗରେ କର୍ଣ୍ଣାଟକ ସମେତ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି। ସେ କେବଳ ଅଭିନୟ ଜଗତର  ନାୟକ ନଥିଲେ ବରଂ  ଅସହାୟଙ୍କ ପାଇଁ ସାହାରା ଥିଲେ । ଗରିବଟିଏ ତାର ସାହାରା ହରାଇ ଭାଙ୍ଗିପଡ଼ିଥିବା ବେଳେ ଅଭିନୟର ବାଦଶାହଙ୍କୁ ହରାଇ ସାରା ଫିଲ୍ମ ଜଗତ ସ୍ତବ୍ଧ ହୋଇଯାଇଛି। ପୁନୀତ କୁମାରଙ୍କୁ ତାଙ୍କର ମହନୀୟତା ପାଇଁ କର୍ଣ୍ଣାଟକ ଜାଣିଥିବା ବେଳେ ମୃତ୍ୟୁ ପରେ ବି ସେ ସମସ୍ତଙ୍କ ହୃଦୟରେ ଜୀବିତ ରହିବେ । ମୃତ୍ୟୁ ପରେ ତାଙ୍କ ଆଖି​‌ରେ ଦୁନିଆ ଦେଖିବେ ୪ ଜଣ । ବୋଧହୁଏ ଏହା ପ୍ରଥମ ଘଟଣା ଯେ ପୁନୀତଙ୍କ ଦୁଇ ଆଖି ପାଇଁ ଦୁନିଆ ଦେଖିବାକୁ ପୁଣି ଥରେ ସକ୍ଷମ ହୋଇଛନ୍ତି ୪ ଜଣ।

ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପାଇଁ ଏମିତି ସମ୍ଭବ ହୋଇପାରିଛି ବୋଲି ନାରାୟଣ ନେତ୍ରାଳୟର ଅଧ୍ୟକ୍ଷ ଡାକ୍ତର ଭୁଜଙ୍ଗ ଶେଟ୍ଟୀ କହିଛନ୍ତି । ଶୁକ୍ରବାର ପୁନୀତଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ଲୋକେ ତାଙ୍କର ଆଖି ଦାନ କରିବାକୁ ନିଷ୍ପତ୍ତି କରିଥିଲେ। ଅଧିକାଂଶ ସମୟରେ ଜଣେ ବ୍ୟକ୍ତିଙ୍କ ଦୁଇଟି ଆଖି ଦୁଇ ଜଣଙ୍କ ଶରୀରରେ ଲାଗେ। କିନ୍ତୁ ପୁନୀତଙ୍କ କ୍ଷେତ୍ରର ତାଙ୍କର ଦୁଇ ଆଖି ୪ ଜଣ ଯୁବକଙ୍କୁ ଦୃ​‌ଷ୍ଟି ଶକ୍ତି ଦେଇଛି ବୋଲି କହିଛନ୍ତି ଡାକ୍ତର ଶେଟ୍ଟୀ।

ଡାକ୍ତରଙ୍କ ଅନୁସାରେ, ନୂତନ ଡାକ୍ତରୀ ଜ୍ଞାନ କୌଶଳରେ ଏହି ପ୍ରତିରୋପଣ ହୋଇଛି। ପ୍ରତି ଆଖିରେ ଦୁଇ ଜଣ ରୋଗୀଙ୍କ ଚିକିତ୍ସା କରାଯାଇଛି। ପ୍ରଥମେ କର୍ନିଆର ବହିର୍ଭାଗ ଏବଂ ଭିତର ଭାଗକୁ ଅଲଗା କରାଯାଇ ଦୁଇ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି। ସେହିଭଳି ସୁପରିଫିସିଆଲ ଅଂଶକୁ ଭାଗ କରାଯାଇ ଅନ୍ୟ ଦୁଇ ରୋଗୀଙ୍କ ଠାରେ ସଂଯୋଗ କରାଯାଇଛି। ଏହି ପରି ୪ ରୋଗୀ ପୁଣି ଥରେ ଦୁନିଆ ଦେଖିବାରେ ସମର୍ଥ ହୋଇଛନ୍ତି।

ଏମିତି ଏକ ଅସ୍ତ୍ରୋପଚାର ମେଡିକାଲ ଇତିହାସରେ ବିରଳ ବୋଲି ଡାକ୍ତର  ଶେଟ୍ଟୀ କହିଛନ୍ତି। ପୁନୀତଙ୍କ ଦୁଇ ଆଖି ପାଇଁ ୪ ଜଣ ଦୁନିଆ ଦେଖିବାରେ ସକ୍ଷମ ହୋଇଛନ୍ତି  ତାହା ନୁହେଁ ତାଙ୍କ ଆଖିର ଧଳା ଅଂଶକୁ ଲ୍ୟାବୋରେଟୋରିରେ ରଖାଯାଇଛି। ଏହାକୁ ପରବର୍ତ୍ତୀ ସମୟରେ ଲିମ୍ବାଲ ଷ୍ଟେମ୍‌ ସେଲ୍‌ ଡେଫିସିଏନ୍ସି ଥିବା ରୋଗୀଙ୍କ ଠାରେ ପ୍ରତିରୋପଣ କରାଯିବ ବୋଲି ଜଣାପଡ଼ିଛି। ଏହି ଅସ୍ତ୍ରୋପଚାର ଡାକ୍ତର ରୋହିତ ଶେଟ୍ଟୀଙ୍କ ତତ୍ବବଧାନରେ ଡାକ୍ତର ଯତୀଶ ଶିବାନା, ଡାକ୍ତର ଶରୋନ ଡିସୌଜା ଏବଂ ଡାକ୍ତର ହର୍ଷ ନାଗରାଜ କରିଛନ୍ତି।

Spread the love