ଛତିଶଗଡ଼ ବିଧାନସଭା ନିର୍ବାଚନ: ବିଜୟର ଅପେକ୍ଷାରେ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର

ରାୟପୁର/ଭୁବନେଶ୍ୱର: ଛତିଶଗଡ଼ ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସୁଛି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପିକୁ ବିପୁଳ ସମର୍ଥନ ମିଳିଥବା ବେଳେ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛି। ଛତିଶଗଡ଼ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ଓଡ଼ିଆ ପୁଅ ପୁରନ୍ଦର ମିଶ୍ର ମଧ୍ୟ ପ୍ରଥମ ଥର ନିର୍ବାଚନୀ ମଇଦାନକୁ ଓହ୍ଲାଇ ବିଜୟ ହାସଲ କରିବାକୁ ଯାଉଛନ୍ତି। ସେହିପରି ଛତିଶଗଡ଼ରେ ପୁଣି ଥରେ ବିଜେପି ସରକାର ଗଢ଼ିବାକୁ ଯାଉଛି।

ରାୟପୁର ଉତ୍ତର ବିଧାନସଭା ଆସନରୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଶ୍ରୀ ମିଶ୍ର ୧୫ରୁ ୧୪ଟି ରାଉଣ୍ଡ ଭୋଟ ଗଣତି ସୁଦ୍ଧା ୫୨,୮୪୫ ଖଣ୍ଡ ଭୋଟ ପାଇଛନ୍ତି। ସେ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା କଂଗ୍ରେସର ପ୍ରାର୍ଥୀ କୁଲଦୀପ ସିଂହ ଜୁନେଜାଙ୍କ ଠାରୁ ୨୨,୨୭୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। କୁଲଦୀପଙ୍କୁ ୩୦,୫୭୩ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଅଜିତ କୁକରେଜାଙ୍କୁ ୨୧,୫୭୧ ଖଣ୍ଡ ଭୋଟ୍‌ ମିଳିଛି। ଏହି ନିର୍ବାଚନ ମଣ୍ଡଳୀରେ ଆମ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି, ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ସମେତ ମୋଟ ୧୪ ଜଣ ପ୍ରାର୍ଥୀ ଅଛନ୍ତି।

ସୂଚନାଯୋଗ୍ୟ ବିଶିଷ୍ଟ ସମାଜସେବୀ ଏବଂ ରାୟପୁରସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ପୁରନ୍ଦର ମିଶ୍ର ଏକମାତ୍ର ଓଡ଼ିଆ ପାର୍ଥୀ ଭାବରେ ଛତିଶଗଡ଼ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ଗାୟତ୍ରୀ ନଗର ଠାରେ ଶ୍ରୀ ମିଶ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ଛତିଶଗଡ଼ର ସବୁଠୁ ବଡ଼ ଜଗନ୍ନାଥ ମନ୍ଦିର, ତାଙ୍କର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି।

Spread the love