ରତ୍ନାକର ସାହୁଙ୍କୁ ଶାମ୍ଭବୀ ପୁରସ୍କାର-୨୦୨୨, ଚିନ୍ମୟୀ ଦାସଙ୍କୁ ମିଳିଲା BIPF‘ଜୁରି କମେଣ୍ଡେସନ ସାର୍ଟିଫିକେସନ’

ଭୁବନେଶ୍ୱର ୧୪।୪: ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ (ବିଆଇପିଏଫ) ପକ୍ଷରୁ  ଗୁରୁବାର ନବମ ଶାମ୍ଭବୀ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକ୍ଷେତ୍ରରେ ଅନନ୍ୟ ଅବଦାନ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ରତ୍ନାକର ସାହୁଙ୍କୁ ଶାମ୍ଭବୀ ପୁରସ୍କାର -୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି। ସେହିପରି ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଅନୁଗୁଳ ଜିଲ୍ଲା ଝାରପଡା ନିବାସୀ ସୁଶ୍ରୀ ଚିନ୍ମୟୀ ଦାସଙ୍କୁ ବିଆଇପିଏଫ ଜୁରି କମେଣ୍ଡେସନ ସାର୍ଟିଫିକେସନ-୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି।

ଏଥିପାଇଁ ଆୟୋଜିତ ଉତ୍ସବରେ ୱାଟର ଏଡ ଇଣ୍ଡିଆ ନୂଆଦିଲ୍ଲୀଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭି.କେ. ମାଧବନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇନିଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସଙ୍କ ନିର୍ଦ୍ଦେଶକ ଡ. ଅଜୟ ପରିଡା ସମ୍ମାନୀତ ଅତିଥି ଓ ବିଆଇପିଏଫ ଟ୍ରଷ୍ଟି ଶ୍ରୀମତୀ ପାରମିତା ପଣ୍ଡା ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ରତ୍ନାକର ସାହୁ  ଖୋର୍ଦ୍ଧା ଜିଲ୍ଲା ‘ଆଶାୟେଁ’ ଅନୁଷ୍ଠାନର ପ୍ରତିଷ୍ଠାତା। ସମାଜର ଅବହେଳିତ ଶିଶୁଙ୍କୁ ଶିକ୍ଷିତ କରିବା ଲକ୍ଷରେ କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନ ଗୋଷ୍ଠୀ ଭିତ୍ତିକ ଶିକ୍ଷା କେନ୍ଦ୍ର ‘ଆମ ପାଠଶାଳା’ ମାଧ୍ୟମରେ ଏପରି ଶିଶୁଙ୍କୁ ପାଠ ପଢ଼ା ପ୍ରତି ଆକର୍ଷିତ କରିବା ସହ ବ୍ରିଜ ଏଜୁକେସନ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟରେ ସେମାନଙ୍କ ନାମ ଲେଖାରେ ସହଯୋଗ ମଧ୍ୟ କରିଥାଏ।  ଏହି କାର୍ଯ୍ୟକ୍ରମରେ ମଦ ଦୋକାନକୁ ବସ୍ତି ପିଲାଙ୍କ ଲାଗି ପାଠଶାଳାରେ ରୂପାନ୍ତରିତ କରିବାରେ ସାହୁଙ୍କ କାର୍ଯ୍ୟ ବାସ୍ତବିକ ଉଲ୍ଲେଖନୀୟ। ତାଙ୍କର ଅବଦାନ ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ବିଆଇପିଏଫ ତାଙ୍କୁ ଶାମ୍ଭବୀ ପୁରସ୍କାର-୨୦୨୨ ସମ୍ମାନ ସହ ନଗଦ ରାଶି ଓ ସ୍ମୃତି ଚିହ୍ନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛି।

ସେହିପରି ସମାଜକୁ ସୁଦୃଢ କରିବା ପାଇଁ ସ୍ତମ୍ବ ସଦୃଶ ଛିଡା ହୋଇ ସାହସିକତାର ଉଦାହରଣ ସୃଷ୍ଟି କରିଥିବା ଅନୁଗୁଳ ଜିଲ୍ଲା ଝାରପଡା ନିବାସୀ ସୁଶ୍ରୀ ଚିନ୍ମୟୀ ଦାସଙ୍କୁ ବିଆଇପିଏଫ ଜୁରି କମେଣ୍ଡେସନ ସାର୍ଟିଫିକେସନ-୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି। ଜଣେ ସମାଜ ସେବୀ ଭାବେ ଚିନ୍ମୟୀ କିନ୍ନର ମାନଙ୍କ ଅଧିକାର  ନିମନ୍ତେ କାର୍ଯ୍ୟ କରୁଛନ୍ତି। ନିରନ୍ତର ପ୍ରୟାସ ମାଧ୍ୟମରେ ସେମାନଙ୍କୁ ସାମାଜିକ ଭାବେ ଗ୍ରହଣୀୟ ଜୀବନ ଅତିବାହିତ କରିବା ପାଇଁ ପଥ ପ୍ରଦର୍ଶନ କରିଛନ୍ତି। ଚିନ୍ମୟୀ ଦାସଙ୍କ ନିଶ୍ୱାର୍ଥପର ସେବାକୁ ସମ୍ମାନ ଜଣାଇ ଜୁରି କମେଣ୍ଡେସନ ସାର୍ଟିଫିକେସନ-୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି। ପୁରସ୍କାର ଆକାରରେ ତାଙ୍କୁ ନଗଦ ରାଶି ସମେତ ସ୍ମତି ଚିହ୍ନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି।

ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ (ବିଆଇପିଏଫ) ଗତ ୨୦୧୪ ମସିହାରେ ଏହି ସମ୍ମାନ ଜନକ ଶାମ୍ଭବୀ ପୁରସ୍କାରର ସ୍ଥାପନା କରିଥିଲେ। ଯାହାର ଉଦ୍ଦେଶ୍ୟ ଥିଲା ସାମାଜିକ ପରିବର୍ତ୍ତନର ସୂତ୍ରଧରମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଓ ଅନ୍ୟମାନଙ୍କୁ ସେମାନଙ୍କ ମାର୍ଗ ଅନୁସରଣ କରିବା ନିମନ୍ତେ ଉତ୍ସାହିତ କରିବା। ଏପ୍ରିଲ ୧୪ ତାରିଖ ଦିନ ଭୁବନେଶ୍ୱରରେ ନବମ ଶାମ୍ଭବୀ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

Spread the love