ପୁରୀରେ ପହଞ୍ଚିଲା ରଥକାଠ

ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ। ନୟାଗଡ ବନଖଣ୍ଡରୁ ଆଜି ପ୍ରଥମ ପର୍ଯ୍ୟାୟରେ ଦୁଇଟି ଟ୍ରକରେ ରଥକାଠ ପୁରୀରେ ଆସି ପହଞ୍ଚିଛି। ଦୁଇଟି ଟ୍ରକରେ ସମୁଦାୟ ୪୯ ଖଣ୍ତ ଅସନ ଓ ଧଉରା କାଠ ରହିଛି। ସେଥି ମଧ୍ୟରୁ ୧୨ ଫୁଟିଆ ଅସନ ୨୦ ଟି ଓ ୨୦ ଫୁଟିଆ ଧଉରା ୧୯ ଟି ଏବଂ ୨୦ ଫୁଟିଆ ଅସନର ୧୦ ଟି କାଠ ରହିଛି।
ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି। ଆସନ୍ତା ଶ୍ରୀପଞ୍ଚମୀ ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି ଧଉରା କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯିବା ସହ ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଶୁକ୍ରବାର ମଧ୍ୟାହ୍ନରେ ନୟାଗଡ ପୁରୁଣା ସହରରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ଡି.ଏଫ୍.ଓ ଏବଂ ଅନ୍ୟ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ପୁରୀ ଅଭିମୁଖେ କାଠ ବୋଝେଇ ଟ୍ରକ୍ ବାହାରିଥିଲା। ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ନୟାଗଡ ବନଖଣ୍ଡର ଦଶପଲ୍ଲା ବନାଞ୍ଚଳରୁ ଚଳିତବର୍ଷ ୧୩୦ଖଣ୍ଡ କାଠ ଯୋଗାଇ ଦିଆଯିବ । ସେଥିମଧ୍ୟରୁ ବିଭିନ୍ନ ମାପର ୭୭ଖଣ୍ଡ ଧଉରା , ୫୦ଖଣ୍ଡ ଅଶନ ଏବଂ ୩ ଖଣ୍ଡ ଶିମିଳି କାଠ ଯୋଗାଇଦିଆଯିବ । ଏହି କାଠ ଦଶପଲ୍ଲା ବନାଞ୍ଚଳର ଚଢେୟାପଲ୍ଲି, ବାଣିଗୋଛା, ସାକେଣି , ଟାକେରା ଆଦି ଫରେଷ୍ଟ ଅଞ୍ଚଳରୁ ସଂଗ୍ରହ କରାଯାଇଥାଏ ।
ତିନିଠାକୁରଙ୍କ ରଥଯାତ୍ରା ପାଇଁ ରଥ ସଂହିତା ଆଧାର ଅନୂଯାୟୀ କେଉ ଆବାହମାନ କାଳରୁ ପ୍ରତିବର୍ଷ ନୟାଗଡ ବନଖଣ୍ଡରୁ କାଠ ଯୋଗାଇଦିଆଯାଇଥାଏ । ପରମ୍ପରା ଅନୂଯାୟୀ ସରସ୍ବତୀ ପୂଜା ପୂର୍ବରୁ ପ୍ରଥମ ରଥକାଠ ପୁରୀ ରଥଖଳାରେ ପହଞ୍ଚିବାପାଇଁ ନିୟମ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ରଥଖଳାରେ କାଠ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ୩ ରଥ ନିର୍ମାଣ ପାଇଁ ୮୯୭ ଖଣ୍ଡ କାଠ ଆବଶ୍ୟକ।

Spread the love