ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ ଲାଗି ପୂଜାର୍ଚ୍ଚନା

ଖଣ୍ଡପଡା ୧୧।୧: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ କାଠ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ମା’ ବଡ ରାଉଳଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଛି । ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକପଙ୍କ ଅଧ୍ୟକ୍ଷତାରେ ୪ଜଣିଆ ପ୍ରତିନିଧି ଆଜ୍ଞାମାଳ, ଖଣ୍ଡୁଆ, ପାଟ ବସ୍ତ୍ର, ମହାପ୍ରସାଦ ଆଣି ସୋମବାର ରାତିରେ ନୟାଗଡରେ ପହଞ୍ଚିଥିଲେ ।

ମଙ୍ଗଳବାର ବଡ଼ ରାଉଳଙ୍କ ପୀଠରେ ହୋମ ଯଜ୍ଞ କରାଯାଇ ମା’ଙ୍କ ଆଜ୍ଞାମାଳ ନିଆଯାଇ ରଥ କାଠ ନିମନ୍ତେ ଗଛ କଟା ଯିବାର ଶୁଭାରମ୍ଭ ହୋଇଛି । ତେବେ କାଠଗୁଡିକ ମଧ୍ୟରୁ ଧଉରା, ଅସନ, ଶିମିଳି ଇତ୍ୟାଦି ଗଛକୁ ମନୋନୀତ କରାଯାଇଥିବା ସୂଚନା ରହିଛି । ଚଳିତ ବର୍ଷ ୩ଟି ରଥ ପାଇଁ ୮୪୫ଖଣ୍ଡ କାଠ ଦରକାର ଥିବାବେଳେ ଗତବର୍ଷଠାରୁ ୮୦ଖଣ୍ଡ କାଠ ବଳକା ରହିଥିବା ସୂଚନା ରହିଛି । ତେବେ ଏ ବର୍ଷ ମୋଟ ୭୬୫ ଖଣ୍ଡ କାଠ କଟାଯିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Spread the love