ଫେବୃଆରୀ ପହିଲାରୁ ଭକ୍ତଙ୍କ ପାଇଁ ଖୋଲିବ ସିଂହଦ୍ଵାର

ପୁରୀ, ୨୮/୦୧: ଆସନ୍ତା ଫେବୃୟାରୀ ୧ ତାରିଖରୁ ଖୋଲିବ ଶ୍ରୀମନ୍ଦିର। କୋଭିଡ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ହେବ ବୋଲି ନିଷ୍ପତ୍ତି ନେଇଛି ଛତିଶା ନିଯୋଗ। ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଥିବାରୁ ଶ୍ରୀମନ୍ଦିର ଖୋଲିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ନିଆଯାଇଛି। ଶ୍ରୀମନ୍ଦିର ସାନିଟାଇଜ ପାଇଁ କେବଳ ପ୍ରତ୍ୟେକ ରବିବାର ଓ ବିଶେଷ ପର୍ବ ପର୍ବାଣୀ ଗୁଡିକରେ ଶ୍ରୀମନ୍ଦିରରେ ଅତ୍ୟଧିକ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ବନ୍ଦ ରଖାଯିବ। ବାହାରୁ ଆସୁଥିବା ଭକ୍ତ ମାନେ ସିଂହଦ୍ଵାର ଦେଇ ପ୍ରବେଶ ଓ ପୁରୀ ପୋରାଞ୍ଚଳ ବାସିନ୍ଦା ମାନେ ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିବେ।

ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ଅଥବା କୋଭିଡ ଡବଲ ଡୋଜ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ପୂର୍ବ ପରି ଭୋର ସାଢେ ପାଞ୍ଚଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ। କିନ୍ତୁ ଦର୍ଶନ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଏସ ଓପି ଜାରୀ କରାଯିବ। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଅଧ୍ୟକ୍ଷତା କରିଥିବାବେଳେ ଛତିଶା ନିଯୋଗ ପ୍ରତିନିଧି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ସାମିଲ ହୋଇଥିଲେ।

ତେବେ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ସମସ୍ତ ସେବାୟତଙ୍କୁ ବୁଷ୍ଟର ଡୋଜ୍‌ ଦେବା ନେଇ ଉଦ୍ୟମ ଜାରି ରହିଛି । ଏବେ ପର୍ଯ୍ୟନ୍ତ ୨୫୦ରୁ ଅଧିକ ସେବାୟତଙ୍କୁ ବୁଷ୍ଟର ଡୋଜ୍‌ ଦିଆ ସରିଲାଣି । କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବ । ଏଥିସହିତ ପୂର୍ବ ଭଳି ରବିବାର ମନ୍ଦିର ବନ୍ଦ ରହିବା ନେଇ ସେ ଜଣାଇଛନ୍ତି ।

Spread the love