ଦାରୁବ୍ରହ୍ମଙ୍କୁ ଦିଆଗଲା ଦଶମୂଳ ମହୌଷଧି

ପୁରୀ : ଜ୍ବରପୀଡାରୁ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ଗତକାଲି ଦଶମୀ ତିଥିରେ ଦାରୁବ୍ରହ୍ମଙ୍କୁ ଦଶମୂଳ ମହୌଷଧି ପ୍ରଦାନ କରାଯାଇଛି। ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ସାଧାରଣରେ ବିଶ୍ବାସ ରହିଛି। ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ଚକାବିଜେ କରିଛନ୍ତି। ରାଜବୈଦ୍ୟଙ୍କ ଘରେ ଅତ୍ୟନ୍ତ ନିଷ୍ଠାର ସହ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଦଶମୂଳ ମହୋଷଧି ପ୍ରସ୍ତୁତ କରାଯାଇଛି। ଗତକାଲି ଦ୍ବିତୀୟ ଭୋଗମଣ୍ଡପ ଏବଂ ଦକ୍ଷିଣିଘର ଭୋଗ ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇଥିଲା। ବେହେରଣ ଦ୍ବାର ଫିଟିବା ପରେ ଅଣସର ତାଟି ଖୋଲି ପତିମହାପାତ୍ର ଓ ଦଇତାପତି ଭିତରେ ପ୍ରବେଶ କରିଥିଲେ। ଠାକୁରଙ୍କୁ ଚକା ବିଜେ କରାଯାଇଥିଲା। ଏହାପରେ ପତିମହାପାତ୍ର ଚକଟା ଭୋଗ, ପଣାଭୋଗ ଏବଂ ଫଳଭୋଗ କରିଥିଲେ। ବେହେରଣ ଦ୍ବାର ବନ୍ଦ କରାଯିବା ସହ ଜୟବିଜୟ ଦ୍ବାର ଫିଟିଥିଲା। ପଟିଦିଅଁଙ୍କୁ ସନ୍ଧ୍ୟାଆଳତି, ମଇଲମ, ବେଶ, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ ଏବଂ ବଡ଼ସିଂହାର ଭୋଗ ପରେ ପୁଣିଥରେ ଜୟବିଜୟ ଦ୍ବାର ବନ୍ଦ କରାଯାଇଥିଲା। ବେହେରଣ ଦ୍ବାର ଖୋଲି ଦଇତାପତି ଭିତରେ ପ୍ରବେଶ କରିଥିଲେ। ଶ୍ରୀଜୀଉଙ୍କୁ ଦଶମୂଳ ମହୋଷଧି ଅର୍ପଣ କରାଯାଇଥିଲା। ପଣା ଓ ଚକଟା ଭୋଗ ପରେ ଦଇତାପତି ପ୍ରସ୍ଥାନ କରିଥିଲେ। ବେହେରଣ ଦ୍ବାର ବନ୍ଦ କରାଯାଇ ଜୟବିଜୟ ଦ୍ବାର ଖୋଲା ଯାଇଥିଲା। ବିଳମ୍ବିତ ରାତିରେ ପଟିଦିଅଁଙ୍କ ରାତ୍ରପହୁଡ ନୀତି ସମ୍ପନ୍ନ ହୋଇଛି। ଶୁକ୍ରବାର ଖଳିଲାଗି ଏକାଦଶୀ ତିଥିରେ ଦାରୁବ୍ରହ୍ମଙ୍କୁ ଖଳିଲାଗି  ବିଧି କରାଯିବ।

Spread the love