ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରକୁ ଏନ୍‌ଏମ୍‌ଏର ଅନୁମତି

ପୁରୀ : ଶ୍ରୀମନ୍ଦିର ମେଘନାଦ ପ୍ରାଚୀରଠାରୁ ୧୦୦ମିଟର ପରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପାଇଁ ଅନୁମତି ଦେଇଛି ଜାତୀୟ ଐତିହ୍ୟ ପ୍ରାଧିକରଣ। ଶ୍ରୀମନ୍ଦିର ଐତିହ୍ୟ କରିଡର ତଥା ପରିକ୍ରମା ମାର୍ଗ ପ୍ରକଳ୍ପରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପ୍ରସ୍ତାବ ରହିଛି। ନିଷିଦ୍ଧାଞ୍ଚଳ ବାହାରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପାଇଁ ଐତିହ୍ୟ ପ୍ରାଧିକରଣ ସମେତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦେଶକ ପରାମର୍ଶ ଦେଇଥିଲେ। ଶ୍ରୀମନ୍ଦିର ପ୍ରକଳ୍ପ କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷିଦ୍ଧାଞ୍ଚଳ ବାହାରେ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା। ବୈଠକର ନିଷ୍ପତ୍ତି ଆଧାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଛିଦିନ ତଳେ ଜାତୀୟ ଐତିହ୍ୟ ପ୍ରାଧିକରଣ ନିକଟରେ ଏଥିପାଇଁ ଦରଖାସ୍ତ କରିଥିଲେ। ଐତିହ୍ୟ ପ୍ରାଧିକରଣ ପକ୍ଷରୁ ଆପତ୍ତି ବିହୀନ ପ୍ରମାଣପତ୍ର ମଞ୍ଜୁର କରାଯାଇଥିବା ସୂଚନା ମିଳିଛି।ପ୍ରାଧିକରଣ ଅଧ୍ୟକ୍ଷ ସଚ୍ଚିଦାନନ୍ଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମେଘନାଦ ପ୍ରାଚୀରଠାରୁ ୧୦୧ ମିଟର ଦୂରରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର ଦେବାକୁ ସେଥିରେ ସ୍ଥିର କରାଯାଇଥିଲା। ଅଭ୍ୟର୍ଥନା କେନ୍ଦ୍ରର ଉଚ୍ଚତା ୩ତାଲା ମଧ୍ୟରେ ସୀମିତ ରହିବ। ଏହା ୭୯୧୭ ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯିବ। ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ ପାଇଁ ଜମି ଖୋଜା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଭକ୍ତ ଓ ସେବକଙ୍କ ପାଇଁ ଶୌଚାଳୟ ଏବଂ ବିଦ୍ୟୁତ ଯୋଗାଣ କେନ୍ଦ୍ର ନିର୍ମାଣ ପାଇଁ ଐତିହ୍ୟ ପ୍ରାଧିକରଣ ଏହାପୂର୍ବରୁ ସବୁଜ ସଙ୍କେତ ଦେଇଥିଲା।

Spread the love