ଛତିଶାନିଯୋଗ ବୈଠକ, ପହିଲି ଭୋଗ ନୀତିକାନ୍ତି ନେଇ ହେବ ଆଲୋଚନା

ପୁରୀ ୦୭।୧୨ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହେବ ଛତିଶାନିଯୋଗ ବୈଠକ। ଅପରାହ୍ନ ୫ ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧକ୍ଷତାରେ ଛତିଶା ନିଯୋଗ ବୈଠକ ବସିବ। ବୈଠକରେ ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଲାଗି ହେବାକୁ ଥିବା ପହଲି ଭୋଗର ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା ହୋଇ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବ।

ବଡି ଭୋରୁ ଅର୍ଥାତ୍ କାଉ କା ରାବିବା ପୂର୍ବରୁ ପହିଲି ଭୋଗ ହେବାର ନିୟମ ଓ ପରମ୍ପରା ରହିଥିବା ବେଳେ ଶ୍ରୀମନ୍ଦିର ଦ୍ୱାରଫିଟା, ମଙ୍ଗଳ ଆଳତୀ, ଅବକାଶ, ମଇଲମ, ରୋଷହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ପହିଲିଭୋଗ ପରେ ଅନ୍ୟାନ୍ୟ ନୀତି ବଢି କେତେବେଳେ ରାତ୍ର ପହୁଡ ନୀତି ଅନୁଷ୍ଠିତ ହେବ । ସେନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇ ନୀତିନିର୍ଘଣ୍ଟ ହେବ।

ଅନ୍ୟପଟେ ଆସନ୍ତା ୨୦୨୩ ଜାନୁୟାରୀ ୬ ତାରିଖରେ ପୌଷ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ହେବ । ଚତୁର୍ଦ୍ଧାବିଗ୍ରହଙ୍କୁ ସୁବର୍ଣ୍ଣ ବେଶରେ ବିଭୂଷିତ କରାଯିବ ସେନେଇ ମଧ୍ୟ ନୀତିନିର୍ଘଣ୍ଟ ପାଇଁ ବୈଠକରେ ବିଭିନ୍ନ ନିଯୋଗର ସେବାୟତମାନଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବେ। ଆଜି ଅନୁଷ୍ଠିତ ହେଉଥିବା ଛତିଶାନିଯୋଗ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଛତିଶା ନିଯୋଗ ନାୟକ, ପରିଚାଳନା କମିଟିର ସମସ୍ତ ସେବାୟତ ସଦସ୍ୟ, ଜିଲ୍ଲାପାଳ, ଏସପି ଓ ସମସ୍ତ ନିଯୋଗର ସେବାୟତ ପ୍ରତିନିଧି ମାନେ ଭାଗ ନେବେ।

Spread the love