ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ୬ ଅଚେତ

ପୁରୀ: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରେ ଭିତରେ ଭିଡ଼ ଅଣାୟତ୍ତ ହୋଇପଡୁଛି। ଫଳରେ ଭକ୍ତ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ମନ୍ଦିର ଭିତରେ ଅସମ୍ଭାଳ ଭିଡ଼ ଯୋଗୁ ରବିବାର ୧୦ରୁ ଊଦ୍ଧ୍ୱର୍ ଭକ୍ତ ଅଚେତ ହୋଇପଡିଥିବା ବେଳେ ବେଢାରେ ପଡିଯାଇ ଜଣେ ମହିଳା ଭକ୍ତଙ୍କ ଗୋଡ଼ ଭାଙ୍ଗିଛି। ତେବେ ଚାରିଦ୍ୱାର ଖୋଲିବା ଲାଗି ତରବରିଆ ନିଷ୍ପତ୍ତି ଏବଂ ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ଫେଲ୍‌ ମାରିବାରୁ ଅନେକ ଶ୍ରଦ୍ଧାଳୁ ଦର୍ଶନ କରି ଫେରିଯିବାକୁ ବାଧ୍ୟ ହେଉଛନ୍ତି। ରବିବାର ଶେଷ ରଜରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଧାଇଁ ଆସିଛନ୍ତି। ଏଥିପାଇଁ ସକାଳୁ ଶ୍ରୀମନ୍ଦିର ଚାରିଦ୍ୱାରରେ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିଲା। ପୁଲିସ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଭିତରକୁ ଛାଡୁଥିଲା। ହେଲେ ଭିତରେ ସ୍ଥିତି ଥିଲା ଅସମ୍ଭାଳ। କେଉଁ ଦ୍ୱାରରୁ କେତେ ଭକ୍ତ ଯାଉଛନ୍ତି ଏବଂ ଦର୍ଶନ ସାରି କେତେ ଭକ୍ତ ବାହାରୁଛନ୍ତି ତାହାର ଆକଳନ ହୋଇପାରୁ ନଥିବାରୁ ବେଢା ଭିତରେ ଭିଡ଼ ଅଣାୟତ୍ତ ହେଉଥିଲା। ଭିଡ଼ ଏବଂ ଠେଲାପେଲାରେ ଅନେକ ଭକ୍ତ ଅଣନିଶ୍ୱାସୀ  ହୋଇପଡୁଥିବା ବେଳେ କେହି କେହି ବଡ କଷ୍ଟରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ମାତ୍ର ଅନେକ ଭକ୍ତ ଭିଡ଼କୁ ଡ଼ରି ମହାପ୍ରଭୁଙ୍କୁ ଦର୍ଶନ ନକରି କେବଳ ନୀଳଚକ୍ର ଦର୍ଶନ କରି ଫେରିଆସୁଥିବା କହିଛନ୍ତି।

Spread the love