ପୁରୀରେ ଦୁଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ

ସୁପ୍ରିମକୋର୍ଟଙ୍କ ଛାଟ ହେଉ ବା ପ୍ରଶାସନର ତାଗିଦ୍, ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳା କିଛି ବ୍ୟବସ୍ଥିତ ହୋଇ ପାରୁନାହିଁ। ଶ୍ରୀମନ୍ଦିର ଗାରଦର ତ୍ରୁଟି ଯୋଗୁ ପରମ୍ପରା ଭାଙ୍ଗିବାକୁ ଯାଉଥିଲା। ପୂଜାପଣ୍ଡା ସେବକମାନେ ଅଟକାଇଲେ। ଫଳରେ ପୂଜାପଣ୍ଡା ଓ ସୁଆରମାନେ ମୁହାଁମୁହିଁ ହୋଇଥିଲେ। ଯାହାଦ୍ବାରା ଠାକୁରଙ୍କ ନୀତି ୪୦ ମିନିଟ୍ ଧରି ଅଟକିଗଲା।

ଏପରିକି ଏହି ତ୍ରୁଟି ଏବଂ ପରମ୍ପରା ମଧ୍ୟରେ ସମନ୍ବୟ ରଖିବାକୁ ସମର୍ଥ ହେଲାନାହିଁ ପ୍ରଶାସନ ଦ୍ବାରା ଗଠିତ ଶୃଙ୍ଖଳା କମିଟି। ଯାହାଦ୍ବାରା ଭୋଗ ବିଳମ୍ବ ହେଲା ଓ କଲବଲ ହେଲେ ଭକ୍ତ। ଗାରଦର ତ୍ରୁଟି ଥିବାରୁ ଏହି ବିଶୃଙ୍ଖଳାକୁ ରିପୋର୍ଟ ବି କଲାନି ଗାରଦ। କିଛି ହୋଇନଥିବା କହିଥିଲେ ଗାରଦ କର୍ମଚାରୀ। ଶ୍ରୀମନ୍ଦିରରେ ଅନେକ ପରମ୍ପରା ରହିଛି। ସେଥିରୁ ଗୋଟିଏ ପରମ୍ପରା ହେଉଛି ଠାକୁରଙ୍କ ରହଣୀ ଭୋଗ। ଏହି ଭୋଗ ପାଇଁ ବାହାର ରୋଷରେ ପ୍ରସ୍ତୁତ ହୋଇଥାଏ ସାମଗ୍ରୀ। ସେଥି ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ରୀତିନୀତି ରହିଛି। ପରମ୍ପରା ଅନୁଯାୟୀ, ଯେଉଁଦିନ ଠାକୁର ବାହାର ବିଜେ କରନ୍ତି, ଅର୍ଥାତ ରାମକୃଷ୍ଣ, ମଦନ ମୋହନ, ଶ୍ରୀଦେବୀ ଭୂଦେବୀ ବା ଶ୍ରୀ ସୁଦର୍ଶନ ବାହାରକୁ ବିଜେ କରନ୍ତି ତଥା ବାହାର ରୀତିନୀତିରେ ସାମିଲ୍ ହୁଅନ୍ତି, ସେହିଦିନ ହିଁ ବାହାର ରୋଷରେ ଭୋଗ ପ୍ରସ୍ତୁତ ହୋଇ ଲାଗିଥାଏ। ମାତ୍ର ସୁଆର ସେବକମାନେ ରହଣୀ ଭୋଗ କରିବାକୁ ଦାବି କରିଥିଲେ।

ପରମ୍ପରା ଅନୁଯାୟୀ ମହାଶିବରାତ୍ରୀ ଦିନ ଶ୍ରୀଲୋକନାଥ ବାହାରକୁ ବିଜେ କରିବେ। ସେହି ବିଜେ ସମୟରେ ରହଣୀ ଭୋଗ ଲାଗି କରାଯିବ ବୋଲି ନିଷ୍ପତ୍ତି ହେବା ପରେ ନୀତି ଚାଲିଥିଲା। ଭୋଗମଣ୍ଡପ ପୂର୍ବରୁ ଏହି ବିବାଦ ଯୋଗୁ ପ୍ରାୟ ୪୦ ମିନିଟ୍ ଠାକୁରଙ୍କ ଭୋଗ ଅଟକି ଗଲା। ଫଳରେ ଭକ୍ତମାନେ ଭୋଗ ପାଇଲେନାହିଁ। ଅନେକ ଭକ୍ତ ଫେରିଲେ। କିଛି ଭକ୍ତ ଭୋକିଲା ହୋଇ ରହିଥିଲେ। ଶ୍ରୀମନ୍ଦିର ନିୟମ ଅନୁଯାୟୀ, ବାହାର ବିଜେ ଦିନ ହିଁ ବାହାର ରୋଷ ଖୋଲିବାକୁ ଗାରଦ ଚାବି ଦେବା କଥା। ମାତ୍ର ଗତକାଲି କିପରି ଚାବି ଦେଲା ତାହା ତଦନ୍ତ ସାପେକ୍ଷ ହୋଇପଡ଼ିଛି।

ଏହାବ୍ୟତୀତ ନୀତି ସମନ୍ବୟ ରଖିବାକୁ ଥିବା କମିଟି ତାର ଦାୟିତ୍ବ ତୁଲାଇ ପାରିନଥିବାରୁ କମିଟିର ପାରିବାପଣିଆ ନେଇ ପ୍ରଶ୍ନ ଉଠିଛି। ଏଭଳି ବିବାଦ ହୋଇଥିଲେ ମଧ୍ୟ ଗାରଦ କିଛି ହୋଇନଥିବା କହିବା ଓ ଅନେକ କଥାକୁ ଚାପି ଦେବା ଭଳି ଘଟଣା ଶ୍ରୀମନ୍ଦିରର ଅନେକ ସମସ୍ୟାକୁ ଲୁଚାଇ ରଖୁଛି। 

Spread the love