ପଞ୍ଚୁକ ବ୍ରତ : ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ସହ ୫ ପ୍ରକାର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ ୦୩।୧୧: ଶୁକ୍ରବାରଠୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ। କାର୍ତ୍ତିକ ମାସର ଏହି ଶେଷ ପାଞ୍ଚ ଦିନ ସବୁଠାରୁ ପବିତ୍ର ବୋଲି ମନେ କରାଯାଏ।  ଯେଉଁ ବ୍ରତଧାରୀ ମାନେ କାର୍ତ୍ତିକ ବ୍ରତ ପାଳନ କରିନଥାନ୍ତି ସେମାନେ ଏହି ଶେଷ ପାଞ୍ଚଦିନ କାର୍ତ୍ତିକ ବ୍ରତ ପାଳନ କରି ସମାନ ପୁଣ୍ୟ ଅର୍ଜନ କରିଥାନ୍ତି ବୋଲି ବିଶ୍ବାସ ରହିଛି । ଏହି ପାଞ୍ଚଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ସହ ୫ଟି ସ୍ବତନ୍ତ୍ର ବେଶରେ ମହାପ୍ରଭୁ ଦର୍ଶନ ଦେଇଥାନ୍ତି।

ତେବେ ଏହି ଏକାଦଶୀ  ତିଥିରେ ଠିଆକିଆ ବେଶ, ଦ୍ବାଦଶୀରେ ବାଙ୍କଚୁଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ଓ କାର୍ତ୍ତିକ ପୁର୍ଣ୍ଣିମାରେ ରାଜରାଜେଶ୍ବର ବା ସୁନାବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ସେହି ଦିନ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି।  ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ। ଦେବ ନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ସ୍ବତନ୍ତ୍ର ନୀତି ଯୋଗୁଁ ଭକ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ।

ତେବେ ପଞ୍ଚୁକ ପାଞ୍ଚଦିନ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଶ୍ରୀମନ୍ଦିରରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ମର୍ଚ୍ଚିକୋଟ ଛକ ଠାରୁ ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ମଧ୍ୟରେ ଭକ୍ତ ମାନେ ଶୃଙ୍ଖଳାର ସହ ଆସି ସିଂହଦ୍ୱାରରେ ପ୍ରବେଶ କରି ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିପାରିବେ। ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନର ବ୍ୟବସ୍ଥା କରାଯାଇଛି। ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଦାୟିତ୍ୱରେ ରହିବେ ।

Spread the love