ଆଜି ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ପୁରୀ ରଥ କାଠ

ଆଜି ପବିତ୍ର ଶ୍ରୀପଞ୍ଚମୀ। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥ କାଠକୁ ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମୁଖରେ ରଖାଯାଇଛି। ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ। ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ୱତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ। ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ। ସେହିପରି ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି।

ରଥ ର୍ନିମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ଯକତା ଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୧୧୮ ଖଣ୍ଡ କାଠ ମହଜୁଦ ଅଛି। ଅବଶିଷ୍ଟ ୭୪୭ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବାକୁ ଥିବାବେଳେ ଗତ ୨୧ ତାରିଖ ସନ୍ଧ୍ୟ୍ରାରେ ତିନୋଟି ଟ୍ରକରେ ୧୦୪ ଖଣ୍ଡ ଅସନ ଓ ଧଉରା କାଠ ପୁରୀରେ ଆସି ପହଞ୍ଚିଛି। ସେଥି ମଧ୍ୟରୁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯିବ।
Spread the love