ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରି ନାହାକା ଉଠିବ

ପୁରୀ: ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନି ରଥର ସମସ୍ତ ଚକ ଅଖ ଡେରା ସମ୍ପୂର୍ଣ ହୋଇଛି। ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରି ନାହାକା ଉଠିବ। ରଥଖଳାରେ ପୋଲ ଓ ଛନ୍ଦାଗୟଳ ପାଇଁ କାଠ ଚିରଟ ହୋଇ ଚଉପଟ କାର୍ଯ୍ୟ ଚାଲିଛି। ସେପଟେ ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ବରେ ଏଏସଆଇଟିମ୍ ରବିବାର ଶ୍ରୀମନ୍ଦିରରେ ଚାଲିଥିବା କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ନାଟମଣ୍ଡପ ଓ ଜଗମୋହନ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ରଥଯାତ୍ରା ସମୟରେ ଆବଶ୍ୟକ ମରାମତି କାମ ହେବ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ କହିଛନ୍ତି।

ଶ୍ରୀମନ୍ଦିରରେ ରବିବାର ଅନୁଧ୍ୟାନ କରିଛନ୍ତି ଏଏସଆଇର ଟିମ୍। ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲକିଙ୍କ ନେତୃତ୍ବରେ ଟିମ୍ ଶ୍ରୀମନ୍ଦିରରେ ହେଉଥିବା କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ବିଶେଷ କରି ସ୍ନାନମଣ୍ଡପ, ନାଟମଣ୍ଡପ ଓ ଜଗମୋହନ କାର୍ଯ୍ୟର ଅନୁଧ୍ୟାନ କରିଛି ଟିମ୍। ସ୍ନାନମଣ୍ଡପରେ ୬୦ରୁ ଅଧିକ ଖଣ୍ଡେଲାଇଟ ପଥର ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହି ସମସ୍ତ ପଥର ପରିବର୍ତ୍ତନ କରାଯାଇଛି। ସେହିପରି ନାଟମଣ୍ଡପ ବିମ୍ ରେ ସୃଷ୍ଟି ହୋଇଥିବା ଫାଟ ଓ ନାଟମଣ୍ଡପର ଆବଶ୍ୟକ ମରାମତି କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଛି ଟିମ୍। ନାଟମଣ୍ଡପ ଓ ଜଗମୋହନ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଶ୍ରୀମନ୍ଦିର କୋର କମିଟି ଓ ବିଶେଷଜ୍ଞ କମିଟିର ଯାଞ୍ଚ ଓ ଅନୁଧ୍ୟାନ ପରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ ଆବଶ୍ୟକ ମରାମତି କାର୍ଯ୍ୟ ଜାରୀ ରହିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡଣ୍ଟ।

ତିନିରଥରେ ପ୍ରଥମ ଦଣ୍ଡା ଉଠି ସାରିଥିବାବେଳେ ଏବେ ଦଣ୍ଡାରେ ଗାରିଆଗାରୀ ହୋଇ ଗୋଳି କରାଯାଉଛି। କଣ୍ଟା ଓ ଗରଗରା କଣ୍ଟା ଲାଗିବା ପରେ ଗୟଳ ମୋଡଯିବ। ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରି ନାହାକା ଉଠିବା ପାଇଁ କାମ ଜୋରସୋରରେ ଚାଲିଛି।
ଅନ୍ୟପଟେ ରଥଯାତ୍ରା ପାଇଁ ଆବଶ୍ୟକ ସମସ୍ତ ଦଉଡି ତିଆରି ଚାଲିଛି ଚନ୍ଦନପୁର ନିକଟ କତା ସମବାୟ ନିଗମରେ । ୨୨୦ ଫୁଟ ଲମ୍ବ ଓ ୮ ଇଞ୍ଚ ଚଉଡ଼ା ବିଶିଷ୍ଟ ୧୪ଟି ମୁଖ୍ୟ ରଥ ଦଉଡି ସହ ଘେର ଓ ପୋଲିସ କର୍ଡନ ଦଉଡି ମଧ୍ୟ ତିଆରି ଚାଲିଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପାଦନାରେ ସମ୍ପୃକ୍ତ ସେବକଙ୍କ କରୋନା ପରୀକ୍ଷା ପାଇଁ ସ୍ବାବ ସଂଗ୍ରହ ଜାରି ରହିଛି। ରବିବାର ସୁଆର ଓ ଘଣ୍ଟୁଆ ସେବକଙ୍କ ସ୍ବାବ ସଂଗ୍ରହ କରାଯାଇଛି।

ଆସନ୍ତା ୫ ତାରିଖରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ସ୍ନାନମଣ୍ଡପକୁ ସଫା କରାଯାଇ ରଙ୍ଗ କରାଯାଉଛି। ଏ ବର୍ଷ ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା। ଲୋକେ ଘରେ ବସି ସିଧା ପ୍ରସାରଣ ମାଧ୍ୟମରେ ଦେଖିପାରିବେ, କିନ୍ତୁ ବଡଦାଣ୍ଡକୁ ଆସିପାରିବେ ନାହିଁ।

Spread the love