ତିନି ରଥର ଚକା ଡେରା ସରିଲା, ଏବେ ଅଖ ଲାଗିବ

ଭୁବନେଶ୍ୱର, ମହାପ୍ରଭୁଙ୍କ ରଥ କାମ ଜୋରସୋରରେ ଆଗେଇ ଚାଲିଛି। ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ମହା ପ୍ରଭୁଙ୍କୁ କୃପାରୁ ରଥ ନିର୍ମାଣ ଆଗେଇ ଚାଲିଛି। ଶନିବାର ରଥଖଳାରେ ସରିଛି ଚକା ଡେରା କାମ । ଭୋଇ ସେବକମାନେ ଚକା ଗୁଡିକୁ ଡେରିବା ସହିତ ଏହା ଯେଭଳି ଗଡିନଯାଏ ସେଥିପାଇଁ ଦୁଇପଟେ କାଠ ଆଡି ଦେଇଛନ୍ତି । ମୁଖ୍ୟ ମହରାଣାଙ୍କ ପରାମର୍ଶକ୍ରମେ ତିନି ରଥର ଚକ ଅଖ ମଧ୍ୟରେ କେତେକ ଦୂରତା ରହିବ ମାପ ହୋଇ ଖଞ୍ଜାଯିବ ।

 ରଥ ଅମିନ ଭୋଇ ସେବନମାନଙ୍କ ମାଧ୍ୟମରେ ତିନି ରଥର ମୁଖ୍ୟ ମହାରଣାମାନଙ୍କୁ ଭୂଇଁ ଚଉଡା କାଠ ଯୋଗାଇ ଦେଇଛନ୍ତି । ଉକ୍ତ କାଠକୁ ମହାରଣା ସେବକମାନେ ସାଲ ସହ ସେଥିରେ ବିନ୍ଧକାମ କରୁଛନ୍ତି । ଏହି ଭୂଇଁ ଚଉଡା କାଠ ତିନିରଥ ପାଇଁ ଭିନ୍ନ ଭିନ୍ନ ଆକାରରେ ଲାଗିଥାଏ । ଋୂପକାର ସେବକମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ନାଟ ଗୋଡରେ ରାହୁମୂର୍ତ୍ତି ଖୋଦେଇ କାର୍ଯ୍ୟ ଚାଲୁ ରଖିଛନ୍ତି । ତିନିରଥର ମହାରଣା ସେବକମାନେ ପୋଲ ଗୟଳ ଏବଂ ଛନ୍ଦା ଗୟଳର ଚଉପଟ କାମ ଜାରି ରଖିଛନ୍ତି । ଦେବଦଳନ ରଥର ବଡ ପୋଲ ଗୟଳ କାମ ଦୋଳବେଦୀରେ କରତ ସେବକମାନେ ସାରିଛନ୍ତି । ତାହା ଚଉପଟ ପାଇଁ ରଥଖଳାକୁ ଯିବ । ଦୋଳବେଦୀ ଠାରେ ଓଝା ସେବକମାନେ ଆବଶ୍ୟକ ପରିମାଣ ଦଣ୍ଡାକଣ୍ଟା, ଗୟଳ କଣ୍ଟା ଆଦି ପ୍ରସ୍ତୁତିରେ ଲାଗିଛନ୍ତି ।

ଶନିବାର ରଥଖଳାରେ କାମ ଆରମ୍ଭ ପୂର୍ବରୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ତେବେ ସମସ୍ତ ସେବକମାନେ ସୁସ୍ଥ ଥିବା ଜଣାଯାଇଛି । ସେହିପରି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଗରାବଡୁ ସେବକମାନଙ୍କର କରୋନା ପରୀକ୍ଷା ପାଇଁ ୪୦ଜଣଙ୍କର ନମୂନା ସଂଗ୍ରହ ହୋଇଛି । ଏହାଛଡା ଘଣ୍ଟୁଆ ସେବକ, ଶ୍ରୀମନ୍ଦିର ପରିମଳ କର୍ମଚାରୀଙ୍କୁ ମିଶାଇ ମୋଟ୍‍ ୬୩ ଜଣଙ୍କର ନମୂନା ସଂଗ୍ରହ କରାଯାଇଛି ।

Spread the love