ସାନିଟାଇଜ ହେଉଛି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ୩ ଦିନ ପରେ ସୋମବାରଠୁ ସାଧାରଣ ଦର୍ଶନ

ପୁରୀ ୦୨/୦୧: ଗତ ତିନିଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । ତେବେ ଆଜି ରବିବାର ଅବସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ବାହାର, ଭିତର ସାନିଟାଇଜ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଏସଓପି ଅନୁଯାଇ ପ୍ରତି ରବିବାର ଓ ବିଶେଷ ପର୍ବପର୍ବାଣି ଦିନ ମାନଙ୍କରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ଆସନ୍ତାକାଲି ଶ୍ରୀମନ୍ଦିରରେ ପୁନର୍ବାର ସାଧାରଣ ଦର୍ଶନ ଆରମ୍ଭ ହେବ । ତେଣୁ ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ ବାହାର ଅଞ୍ଚଳକୁ ସାନିଟାଇଜ କରାଯାଇଛି।

ପୁରୀ ଅଗ୍ନିଶମ ବିଭାଗର ଆଗ୍ନିକ ମାନେ ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ବାଇଶି ପାହାଚ ସମେତ ଚତୁଃପାର୍ଶ୍ୱକୁ ସାନିଟାଇଜ କରିଛନ୍ତି । ତେବେ ଗତ ଡିସେମ୍ବର ୩୧, ଜାନୁଆରୀ ୧ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ବନ୍ଦ କରାଯାଇଥିବା ବେଳେ ଆଜି ରବିବାର ଅବସରରେ ମଧ୍ୟ ଶ୍ରୀମନ୍ଦିରର ସାନିଟାଇଜ ପାଇଁ ଦର୍ଶନ ବନ୍ଦ ରହିଛି।

Spread the love