ଓଡିଶା ପାଇଁ ଐତିହାସିକ ଦିନ : ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ, ୨୪/୨୧: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ୩ ଦିନିଆ ଯଜ୍ଞ ପୂଜାବିଧିର ଅନ୍ତିମ ଦିବସରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଉତ୍ତରଦ୍ବାର ଐଶାନ୍ୟ କୋଣରେ ଚାଲିଛି ମହାଯଜ୍ଞ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ । ଏହାସହ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କ ପାଇଁ ଆଜିର ଦିନ ସ୍ମରଣୀୟ। ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ମହାରାଜ ଦିବ୍ୟସିଂହ ଦେବ, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଛନ୍ତି ।


ପରିକ୍ରମା ପ୍ରକଳ୍ପର ଅନାବରଣ କାର୍ଯ୍ୟ ମଧ୍ୟ କରାଯାଇଛି। ଏଥିସହ ମହାପ୍ରଭୁଙ୍କ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏଥିପାଇଁ ୩ ଅତିରିକ୍ତ ଏସପି, ୧୦ ଡିଏସପି, ୪୦ ଇନ୍ସପେକ୍ଟରଙ୍କ ସହ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ସମେତ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରକ୍ପଳ ପାଇଁ ଜମି ଦେଇଥିବା ବ୍ୟକ୍ତିଙ୍କୁ ସମ୍ୱର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।

Spread the love