ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ ।  ସୋମବାର ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଛି । ରବିବାର ଯେଉଡ଼ ଭୋଗ ପରେ ସୋମବାର ଶ୍ରୀକୃଷ୍ଣ ଜନ୍ମନୀତି ଓ ମଙ୍ଗଳବାର ନନ୍ଦ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆଜି ଠାରୁ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ ।  ଆଜି ଭାଦ୍ରକୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନଧୂପ ପରେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାଙ୍କୁ ପୂଜାପଣ୍ଡା ସେବକ ମାନେ ଆଜ୍ଞାମାଳ ପ୍ରଦାନ କରିବା ପରେ ଦୁଇ ପ୍ରତିମାଙ୍କୁ ବିମାନରେ ବସାଇ ସିଂହଦ୍ଵାର ନିକଟସ୍ଥ ବଡଛତା ମଠ ପାର୍ଶ୍ବରେ ଥିବା ଏକ କାଠ ସିଂହାସନରେ ବିଜେ କରାଯିବ ।

ଲେଙ୍କା ସେବକ ଶବରୁଣୀ ବେଶ ହୋଇ ଗୁଆକୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ନୀତି ସମ୍ପାଦନ କରିବେ । ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀଠାରୁ କୋଳି ଆଣି ମହାପ୍ରଭୁଙ୍କୁ ସମର୍ପଣ ଓ ମଣୋହି କରିଵା ପରେ ପୂଜାପଣ୍ଡା ସେଠାରେ ଶୀତଳ ଭୋଗ ଓ ଭିତରଚ୍ଛ ମହାପାତ୍ର ବନ୍ଦାପନା ନୀତି କରିବେ ।  ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କୁ ବନଭୋଜି ବେଶରେ ସଜ୍ଜିତ କରାଯିବ । ଶ୍ରୀଜିଉମାନଙ୍କ ଶ୍ରୀଭୁଜରେ ରୂପା ପିଙ୍ଗଣରେ ସର ଧାରଣ ସହ ଅନ୍ୟ ହସ୍ତରେ ନଉଡି ଧରିଥାନ୍ତି । ବନଭୋଜି ବେଶରେ ଠାକୁରମାନଙ୍କୁ ପ୍ରାୟ ୧୮ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ ।

Spread the love