ଗଜପତିଙ୍କ ସ୍ଥାନରେ ମୁଦିରସ୍ତ କଲେ ଶ୍ରୀଜିଉଙ୍କର ଛେରା ପହଁରା ନୀତି

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଛେରା ପହଁରା ନୀତି କରିବାକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସିଲେ ନାହିଁ । ତାଙ୍କ ପରିବର୍ତ୍ତେ ବିକଳ୍ପ ଭାବରେ ଧାର୍ମିକସମ୍ମତ ପ୍ରତିନିଧି ମୁଦିରସ୍ତ ଛେରା ପହଁରା ସେବାକାର୍ଯ୍ୟ କରିଛନ୍ତି । ଆଜି ଗଜପତି ମହାରଜା ସହିତ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଆସିନଥିବା ଜାଣିବାକୁ ମିଳିଛି । ଏହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି । ମହାମାରୀ କରୋନା ପାଇଁ ଚଳିତ ଥର କାଳିଆ ସାଆନ୍ତଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ବିନା ଭକ୍ତରେ ଅନୁଷ୍ଠିତ ହେଉଅଛି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ଛିଡା କରି ଦେଇଛି କରୋନା । ଅନ୍ୟପଟେ କରୋନା କଟକଣା ଯୋଗୁ ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସୀମିତ ସେବାୟତଙ୍କୁ ସାମିଲ୍‌ କରାଯାଇଥିଲା । ତେବେ ପରମ୍ପରା ଅନୁଯାୟୀ ଶ୍ରୀଜିଉଙ୍କ ଛେରା ପହଁରା ନୀତି ପାଇଁ ପୁରୀ ଗଜପତି ମହାରାଜଙ୍କର ଆସିବାର ବିଧି ରହିଥିବା ବେଳେ ଆଜି ଗଜପତି ମହାରାଜ ଆସି ନାହାଁନ୍ତି । ଏନେଇ ଗଜପତି ପ୍ରକାଶ କରିଛନ୍ତି ଯେ, ସରକାରଙ୍କ କରୋନା ଗାଇଡଲାଇନ ପାଳନପୂର୍ବକ ମୁଁ ଶ୍ରୀନଅରରେ ରହିଥିଲି । ୨ଟି କାରଣ ପାଇଁ ମୁଁ ଆଜି ଶ୍ରୀନଅରରେ ରହିଥିଲେ ବୋଲି ଗଜପତି କହିଛନ୍ତି । ପ୍ରଥମଟି ହେଲା ଧର୍ମୀୟ କାର୍ଯ୍ୟ ଓ ଏକ ସମୟରେ ୭ରୁ ଅଧିକ ଏକତ୍ରକୁ ବାରଣ କରାଯାଇଛି । ଦ୍ୱିତୀୟରେ ୬୫ ବର୍ଷରୁ ଅଧିକ ବର୍ଷର ବୟସ୍କଙ୍କର ଘରୁ ବାହାରିବାକୁ ବାରଣ କରାଯାଇଥିବାରୁ ସମସ୍ତଙ୍କୁ ମାର୍ଗଦର୍ଶନ କରି ସେମାନଙ୍କ ରାଜ୍ୟ ତଥା ଦେଶ ପାଇଁ ରହିଥିବା ନୈତିକ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିବାକୁ ଯାଇ ସେ ଆଜି ଶ୍ରୀନଅରରେ ରହିବାକୁ ଉଚିତ୍‌ ମନେ କରିଥିଲେ ବୋଲି କହିଛନ୍ତି ଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ତେବେ ଆଜିକୁ ମିଶାଇ ଦ୍ୱିତୀୟ ଥର ପାଇଁ ସ୍ନାନ ଯାତ୍ରା ସେବା ତୁଲାଇ ପାରିନାହାଁନ୍ତି ବୋଲି ଗଜପତି ଜଣାଇନ୍ତି । ୧୯୭୬ରେ ପ୍ରଥମ ଥର ପାଇଁ ଏଲଏଲଏମ ପାଇଁ ସେ ଆମେରିକାରେ ଥିବାରୁ ସ୍ନାନଯାତ୍ରା ସେବା କରିପାରିନଥିଲେ । ଆଜି ମହାପ୍ରଭୁଙ୍କ ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ବେଶ ପରେ ଛେରାପହଁରା ନୀତି ସମ୍ପନ୍ନ ହୋଇଛି । ଗଜପତି ମହାରାଜ ଅନୁପସ୍ଥିତ ଥିବା କାରଣରୁ ତାଙ୍କ ଜାଗାରେ ପ୍ରତିନିଧି ମୁଦିରସ୍ତ ଶ୍ରୀଜିଉଙ୍କର ଛେରା ପହଁରା ନୀତି ସମ୍ପାଦନ କରିଥିଲେ । ଇଏ ହେଉଛନ୍ତି ସେହି ମୁଦିରସ୍ତ ସେବକ ଯିଏ ଗଜପତିଙ୍କ ଅନୁପସ୍ଥିତିରେ ଖାଲି ସ୍ନାନ ମଣ୍ଡପରେ ନୁହେଁ ଆବଶ୍ୟକ ସ୍ଥଳେ ରଥ ଉପରେ ମଧ୍ୟ ମହାପ୍ରଭୁଙ୍କ ଛେରା ପହଁରା ନୀତି କରିବାର ଶାସ୍ତ୍ରସମ୍ମତ ବିଧି ରହିଛି । ଏତଦ୍‌ବ୍ୟତୀତ କାଳିଆ ସାଆନ୍ତଙ୍କର ଏହି ସେବକ ଚନ୍ଦନଲାଗି ସମୟରେ ମଧ୍ୟ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ଚନ୍ଦନଲାଗି କରିବାର ଅଧିକାର ରହିଛି।

Spread the love