ଶ୍ରଦ୍ଧାଳୁମାନେ ଘରେ ରହି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦେଖିବେ : ଗଜପତି

– ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରମନ୍ଦିର ବନ୍ଦ ରହିବ।

– କୌଣସି ଚାନେଲକୁ ସିଧାପ୍ରସାରଣ ସୁଯୋଗ ମିଳିବନି।

– ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି।

-ରାଜ୍ୟ ସରକାର ଅନୁମତି ଦେଲେ ରଥଯାତ୍ରା ହେବ।

ପୁରୀ,୩୦/୦୫:  ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ସେବକ ନିଯୁକ୍ତ ହେବେ । କୌଣସି ଚାନେଲକୁ ସିଧାପ୍ରସାରଣ ସୁଯୋଗ ମିଳିବନି ଶ୍ରୀମନ୍ଦିରଠାରୁ। ସୂଚନା ଲୋକସମ୍ପର୍କ ବିଭାଗକୁ ସିଧାପ୍ରସାରଣ ଦାୟିତ୍ୱ ଦିଆଯିବ । ଶ୍ରଦ୍ଧାଳୁମାନେ ଘରେ ରହି ମହାପ୍ରଭୁଙ୍କ ଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ନେଇ କମିଟି ଅଧ୍ୟକ୍ଷ ଗଜପତି ମହାରାଜ ସୂଚନା ଦେଇ କହିଛନ୍ତି ଯେ, ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ଖୋଲିଲେ ଅସମ୍ଭବ ଭିଡ଼ ଦୃଷ୍ଟିରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ନିଷ୍ପତ୍ତିକୁ ଗ୍ରହଣ କରାଯିବ । ସୀମିତ ଶ୍ରଦ୍ଧାଳୁଙ୍କ ସହ ଶ୍ରୀମନ୍ଦିର ପରିସରରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଓ ଦିଅଁ ଦର୍ଶନ ବନ୍ଦ ରହୁଥିବା ଦୃଷ୍ଟିରୁ ସାହାଣମେଲା ମଧ୍ୟ ବନ୍ଦ ରଖାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସାଧାରଣଲୋକେ ଯେପରି ସ୍ନାନଯାତ୍ରା ଓ ରଥଯାତ୍ରା ଟିଭିରେ ଦେଖିପାରିବେ ସେଥିଲାଗି ଏହାର ସିଧା ପ୍ରସାରଣ ଦାୟିତ୍ୱ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦିଆଯାଇଛି। ସାରା ଦୁନିଆ ଲୋକେ ଯେଭଳି ଟିଭିରେ ଦେଖିବେ ସେନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ବ୍ୟବସ୍ଥା କରିବେ। ସ୍ନାନଯାତ୍ରାରେ କୋଭିଡ ଗାଇଡଲାଇନ୍‌କୁ ସେବକମାନେ ପାଳନ କରିବେ । ରଥଯାତ୍ରା ନେଇ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଧି ଅନୁସାରେ ରଥଯାତ୍ରା କରିବାକୁ ପରିଚାଳନା ସମିତି ମତ ଦେଇଥିବା ଗଜପତି ମହାରାଜା କହିଛନ୍ତି। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରଥଯାତ୍ରା ସମ୍ପର୍କରେ ସରକାର ନେବେ ନିଷ୍ପତ୍ତି । ହେଲେ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ପାଇଁ ଅନୁମତି ଦେବା ଠିକ୍‌ ହୋଇନପାରେ। ରାଜ୍ୟ ସରକାର ଅନୁମତି ଦେଲେ ରଥଯାତ୍ରା ହେବ। କିନ୍ତୁ ଯାତ୍ରୀ ଓ ଭକ୍ତଙ୍କ ବିନା ଅନୁପସ୍ଥିତିରେ ରଥଯାତ୍ରା ହେବ। କେବଳ ସମ୍ପୃକ୍ତ ଅଧିକାରୀ, ପୁଲିସ ଓ ସେବାୟତଙ୍କ ଉପସ୍ଥିତିରେ ରଥଯାତ୍ରା ହୋଇପାରିବ ବୋଲି ଗଜପତି ମହାରାଜା କହିଛନ୍ତି । ଆଜି ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସି ମାଧ୍ୟମରେ ବୈଠକରେ ଅନୁଷ୍ଠିତ ହୋଇଥିଲା । ପାଳିଆ ସେବାୟତଙ୍କ ବ୍ୟତିତ ଅନ୍ୟ ସେବାୟତମାନେ କିଭଳି ସ୍ନାନମଣ୍ଡପ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ, ସେନେଇ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ସ୍ନାନଯାତ୍ରାର ସିଧାପ୍ରସାରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା ।

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ଜିଲ୍ଲାପାଳ ବଲଓ୍ୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାସ୍‌ ଏବଂ ସମସ୍ତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ ।

Spread the love