କଳିଙ୍ଗରେ କତର ବିଜୟ: ଭାରତ ୦-୩ରେ ପରାସ୍ତ

ଭୁବନେଶ୍ବର: ଫିଫା ବିଶ୍ବକପ୍‌ ୨୦୨୬ ଓ ଏଏଫ୍‌ସି ଏସୀୟ କପ୍‌ ୨୦୨୭ ସାଉଦି ଆରବିଆ ପ୍ରିଲିମିନାରି ଯୁଗ୍ମ ଯୋଗ୍ୟତା ପର୍ଯ୍ୟାୟ-୨ର ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଭାରତ ୦-୩ ଗୋଲ୍‌ରେ ମଙ୍ଗଳବାର ଘରୋଇ କଳିଙ୍ଗ ଷ୍ଟାଡିୟମରେ କତରଠୁ ହାରିଯାଇଛି। ନିଜର ପ୍ରଥମ ମ୍ୟାଚ୍‌ରେ କୁଏତକୁ ତା’ମାଟିରେ ହରାଇଥିବା ବିଶ୍ବମାନ୍ୟତା-୯୯ ଦଳ ଭାରତ ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳୁଥିବାରୁ ପୂରା ଉତ୍ସାହିତ ଥିଲା। ହେଲେ ଗତ ବିଶ୍ବକପ୍‌ରେ ଆୟୋଜକ ଭାବେ ଖେଳିଥିବା ବିଶ୍ବମାନ୍ୟତା-୬୧ ଦଳ କତର ଆରମ୍ଭରୁ ଅଗ୍ରଣୀ ନେଇ ଯାଇଥିଲା। ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ତମିମ ମନ୍‌ସୁର ଅଲ୍‌ ଅବଦୁଲ୍ଲାଙ୍କ ପାସକୁ ମୁସ୍ତାଫା ତାରେକ ମସାଲ ଡି’ଏରିଆର ବାମପଟୁ ଭାରତୀୟ ଗୋଲ୍‌ ପୋଷ୍ଟ ବଲ୍‌ ପଠାଇ କତରକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହି ଗୋଲ୍‌ ସହ ପ୍ରଥମାର୍ଦ୍ଧ ଶେଷ ହୋଇଥିଲା।

ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ମଧ୍ୟ ଭାରତ ଉପରେ କତର ଭାରି ପଡ଼ିଥିଲା। ୪୭ତମ ମିନିଟ୍‌ରେ ଅଲ୍‌ ମୋଏଜ ଅଲ୍ଲୀଙ୍କ ଗୋଲ୍‌ରେ କତର ୨-୦ରେ ଆଗୁଆ ହୋଇଯାଇଥିଲା। ଏହାପରେ ଭାରତ ଲଗାତାର ଆକ୍ରମଣ ‌କରିଥିଲେ ମଧ୍ୟ ସଫଳ ହୋଇ ନଥିଲା। ତେବେ ୮୬ତମ ମିନିଟ୍‌ରେ ମହମ୍ମଦ ୱାଦ୍‌ ଅଲ୍‌ବାୟାତିଙ୍କ ସୁନ୍ଦର ପାସ୍‌କୁ ୟୁସୁଫ ଅବଦୁରିସାଗ ହେଡ୍‌ ଜରିଆରେ ଗୋଲ୍‌ ଦେଇ ସ୍ଥିତି ୩-୦ କରିଥିଲେ।‌ ‌ଭାରତ ଗୋଲ୍‌ ଶୁଝିବାକୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ ‌ମଧ୍ୟ ସଫଳ ନହୋଇ ପରାଜୟ ବରଣ କରିଥିଲା। ମ୍ୟାଚ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫିଫା ବିଶ୍ବ ଫୁଟ୍‌ବଲ୍‌ ବିକାଶର ମୁଖ୍ୟ ଆର୍ସନେ ୱେଙ୍ଗର, ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ଆଇଏମ୍‌ ବିଜୟନ୍‌ ଅତିଥି ଭାବେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର୍‌ ଅନୁ ଗର୍ଗ ଏବଂ କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌ ଭିନିଲ୍ କ୍ରିଷ୍ଣା ଉପସ୍ଥିତ ଥିଲେ।

କଳିଙ୍ଗ ଷ୍ଟାଡିୟମରେ ‌ଭାରତ-କତର ମ୍ୟାଚ୍‌ ଦେଖିବା ଲାଗି ଦର୍ଶକଙ୍କ ଭରପୁର ଉତ୍ସାହ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ସଂଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିଲା ବେଳେ ଦର୍ଶକମାନେ ୪ଟାରୁ ଗେଟ୍‌ ସମ୍ମୁଖରେ ଲାଇନ୍‌ ଲଗାଇ ସାରିଥିଲେ। ଭାରତୀୟ ଦଳକୁ ସମର୍ଥନ ଦେବାକୁ ଗାଲରେ ତ୍ରିରଙ୍ଗାର ‌ଚିତ୍ର ଆଙ୍କିବା ସହ ହାତରେ ଜାତୀୟ ପତାକା ଧରି ଷ୍ଟାଡିୟମରେ ପଶିଥିଲେ। କିଛି ସମର୍ଥକ ଢୋଲ, ଚାଙ୍ଗୁ ଧରି ଭାରତୀୟ ଦଳକୁ ସମର୍ଥନ ଦେଇଥିଲେ। ଏପରିକି ଷ୍ଟାଡିୟମରେ ୧୧,୩୮୯ ଦର୍ଶକ ଉପସ୍ଥିତ ରହି ଏହି ଖେଳକୁ ଦେଖିଥିଲେ। ହେଲେ ଭାରତ ହାରି ଯିବାରୁ ନିରାଶ ହୋଇ ଫେରିଥିଲେ।

Spread the love