କ୍ବାକ୍‌ ରୋଗୀଙ୍କୁ ଫୋଡିଲେ ପଶୁ ଇଞ୍ଜେକ୍ସନ୍‌

ମୟୂରଭଞ୍ଜ: ବିଶ୍ୱନାଥ ବେହେରା ଜଣେ କ୍ୱାକ୍‌(ନକଲି ଡାକ୍ତର)।ଗତ ଶନିବାର ସେ ଠାକୁରମୁଣ୍ଡା ବ୍ଲକ୍‌ ମହୁଲଡିହା ଗାଁକୁ ଆସିଥିଲେ। ସେ ନିଜକୁ ଠାକୁରମୁଣ୍ଡା ଡାକ୍ତରଖାନାର ଜଣେ ଡାକ୍ତର ବୋଲି ପରିଚୟ ଦେଇଥିଲେ। ଶ୍ରୀକାନ୍ତ ମହାନ୍ତଙ୍କ ଅଣ୍ଟାବ୍ୟଥା କରୁଥିବାରୁ ସେ ଏହି କ୍ବାକ୍‌ଙ୍କ ପାଖକୁ ଯାଇଥିଲେ। ଶ୍ରୀ ମହାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଶ୍ରୀ ବେହେରା ତାଙ୍କୁ ଗୋଟିଏ କିମ୍ବା ଦୁଇଟି ନୁହେଁ; ଏକାଥରକେ ତିନିଟି ଇଞ୍ଜେକସନ୍‌ ଦେଇଥିବା ଅଭିଯୋଗ ହୋଇଥିଲା। ବିଶ୍ୱନାଥ ଇଞ୍ଜେକସନ୍‌ ଦେବା ପରେ ଶ୍ରୀକାନ୍ତଙ୍କୁ ଟଙ୍କା ମାଗିଥିଲେ। ପାଖରେ ଟଙ୍କା ନଥିବାରୁ ଶ୍ରୀକାନ୍ତ ତାଙ୍କ ପୁଅ ମନୋଜକୁ ଫୋନ୍‌ ଘରୁ ଟଙ୍କା ଆଣିବା ପାଇଁ କହିଥିଲେ। ବାପାଙ୍କ ଫୋନ୍‌ କଲ ପାଇବା ପରେ ମନୋଜ ଟଙ୍କା ଧରି ଆସିଥିଲେ। ତେବେ କ୍ୱାକ୍‌ଙ୍କୁ ଟଙ୍କା ଦେଲାବେଳେ ମନୋଜଙ୍କ ନଜର ଇଞ୍ଜେକ୍‌ସନ୍‌ ଉପରେ ପଡ଼ିଥିଲା। ଇଞ୍ଜେକ୍‌ସନ୍‌ ଉପରେ କେବଳ ପଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ମେଲୋକ୍ସିକାମ (MELOXICAM) ଲେଖାଥିଲା। ଏହା ଜାଣିବା ପରେ ସେ ସାହି ପଡ଼ିଶାଙ୍କୁ ଡାକି ଘଟଣା ସମ୍ପର୍କରେ କହିଥିଲେ। ନକଲି ଡାକ୍ତରଙ୍କୁ ଅଟକ ରଖି ସ୍ଥାନୀୟପୂର୍ବତନ ସମିତିସଭ୍ୟଙ୍କୁ କହିଥିଲେ ମନୋଜ। ଏହା ପରେ ପୂର୍ବତନ ସମିତି ସଭ୍ୟ ଉକ୍ତ ଇଞ୍ଜେକ୍‌ସନ୍‌ର ଫଟୋ ଉଠାଇ ଜଣେ ଡାକ୍ତରଙ୍କ ପାଖକୁ ପଠାଇଥିଲେ। ଡାକ୍ତର ସେହି ଇଞ୍ଜେକ୍‌ସନ୍‌କୁ ଦେଖିବା ପରେ ମଣିଷଙ୍କୁ ଦେବା କଥା ନୁହେଁ ବୋଲି କହିଥିଲେ।ଏକଥା ଜାଣିବା ପରେ ମନୋଜଙ୍କ ଅକଲ୍‌ ଗୁଡୁମ୍‌ ହୋଇଯାଇଥିଲା। ପରେ କ୍ବାକ୍‌ଙ୍କୁ ଧରି ମହୁଲଡିହା ଥାନାର ଜିମା ଦେଇଥିଲେ। ଥାନାରେ ପୁଲିସ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ପରେ ସଂପୃକ୍ତ ନକଲି ଡାକ୍ତରଙ୍କୁ ଛଡ଼ାଯାଇଥିଲା। ବିଶ୍ୱନାଥ ବେହେରାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର କଣ୍ଟିପାଳ ଗ୍ରାମରେ ବୋଲି ଜଣାପଡିଛି। ତେବେ ଏନେଇ ଆଜିସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନି।
ଏହି ଘଟଣା ସମ୍ପର୍କରେ ପ୍ରଚାର ହେବା ପରେ ଗତକାଲି ଏକ ଡାକ୍ତରୀ ଦଳ ଶ୍ରୀକାନ୍ତଙ୍କ ଘରକୁ ଯାଇ ସେ ସୁସ୍ଥ ଥିବା ଦେଖିବା ପରେ ଫେରିଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନଥିଲେ ବି ଆଗକୁ କିଛି ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ବୋଲି ପରିବାର ଲୋକେ ଆଶଙ୍କା କରିଛନ୍ତି। ବର୍ତ୍ତମାନ ବିଭିନ୍ନ ଚିକିତ୍ସାଳୟରେ ଡାକ୍ତର ସମସ୍ୟା ଥିବା ବେଳେ ଏହାର ଫାଇଦା ନେଇ ନକଲି ଡାକ୍ତର(କ୍ବାକ) ମାନେ ଘରେ ଘରେ ଏପରି ଚିକିତ୍ସା କରି ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉଛନ୍ତି ବୋଲି ଅଭିଯୋଗ ହେଉଛି।

Spread the love