ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ବିଭାଗର ପଚରାଉଚରା ଜାରି
ଭୁବନେଶ୍ବର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗ ଗତ ୫ ତାରିଖ ଠାରୁ ଚଢ଼ଉ ଜାରି ରଖିଛି। ଏହି କ୍ରମରେ ଆୟକର ବିଭାଗର ଏକାଧିକ ଟିମ୍ରେ ସାମିଲ ହୋଇଥିବା ଅଧିକାରୀ ଓ କର୍ମଚାରୀମାନେ ଶନିବାର ଚତୁର୍ଥ ଦିନରେ ମଧ୍ୟ ଚଢ଼ଉ ଜାରି ରଖିଛନ୍ତି। ମିଳିଥିବା ଟଙ୍କା ଓ କାଗଜପତ୍ରକୁ ନେଇ ପଚରାଉଚରା କରାଯାଉଛି। ଗ୍ରୁପର ମୁଖ୍ୟ ଜଗଦୀଶ ନାୟକ ଓ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଆୟକର ବିଭାଗ ଅଧିକାରୀ ଡିଏନ୍ ଗ୍ରୁପ୍ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଜେରା କରୁଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ସଂସ୍ଥାର ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି। ବୁଧବାର ସକାଳୁ ଚଢ଼ଉ ସମୟରେ ଯେତେେଳେ ଶ୍ରୀ ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିଲା, ଏହି ଘଟଣା ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।