ବିଶ୍ୱ ତମାଖୁ ବର୍ଜନ ଦିବସ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଇଂଟରନେଟରେ କରାଯାଇଥିବା ଆକଳନ ଅନୁଯାୟୀ, ଭାରତରେ 48 ପ୍ରତିଶତ ପୁରୁଷ ଓ 20 ପ୍ରତିଶତ ମହିଳା ତମାଖୁ ଜନିତ ଉତ୍ପାଦକୁ ବ୍ୟବହାର କରିଥାନ୍ତି । ଦୀର୍ଘ 17 ବର୍ଷ ହେବ ଭାରତରେ ଏହି ହାନିକାରକ ତମାଖୁ ଲୋକମାନେ ବ୍ୟବହାର କରୁଛନ୍ତି । ଯଦ୍ୱାରା ଲୋକମାନେ ନାନା ପ୍ରକାରର ରୋଗର ଶିକାର ହେଉଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ, ତମାଖୁ ସେବନ କରିବା ଦ୍ୱାରା ସାରା ବିଶ୍ୱରେ ପ୍ରତିବର୍ଷ ଆଠ ଲକ୍ଷ ଲୋକ ମୃତ୍ୟୁର ଶିକାର ହେଉଛନ୍ତି । ତେବେ ଲୋକଙ୍କୁ ଏଥିରୁ ମୁକ୍ତ କରିବା ପାଇଁ  31 ମେ’ 1987 ମସିହାରେ ବିଶ୍ୱ ତମାଖୁ ବର୍ଜନ ଦିବସ ଆରମ୍ଭ ହୋଇଥିଲା । ସେବେଠୁ ଦୀର୍ଘ 32 ବର୍ଷ ହେବ ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତି ବର୍ଷ ଏହି ଦିନଟିକୁ ପାଳନ କରାଯାଉଛି ।

କେଉଁ ରୋଗ ହୋଇଥାଏ
ଧୁମ୍ରପାନ କରୁଥିବା ଗର୍ଭବତୀ ମହିଳାମାନଙ୍କର ସମୟ ପୂର୍ବରୁ ପିଲା ହେବା ସହ କମ୍ ଓଜନର ପିଲା ଜନ୍ମ ହୋଇଥାନ୍ତି । ଅତ୍ୟଧିକ ତମାଖୁ ସେବନ କରିବା ଦ୍ୱାରା ଠିକ୍ ଭାବେ ଭୋକ ଲାଗେ ନାହିଁ । ଏଥିସହ ଶରୀରର ଓଜନ ହ୍ରାସ, ସମୟ ପୂର୍ବରୁ ଅଧିକ ବୟସ ଭଳି ଅନୁଭବ କରିବା, ମେଦବହୁଳତା, ମୋତିଆବିନ୍ଦୁ, ଦୃଷ୍ଟିଶକ୍ତି ଶୀଘ୍ର ନଷ୍ଟ ହେବା ଭଳି ସମସ୍ୟା ଦେଖାଯାଏ । ଅତ୍ୟଧିକ ସିଗାରେଟ୍, ତମାଖୁ, ପାନ ମସଲା, ଗୁଟ୍କା ଇତ୍ୟାଦି ଖାଇବା ଦ୍ୱାରା ମୁହଁ କ୍ୟାନସର ହେବାର ଅଧିକ ସମ୍ଭାବନା ଥାଏ । ଧୁମ୍ରପାନ କରିବା ଦ୍ୱାରା ଗଳା, ପେଟ, ମୁତ୍ରାଶୟ ଏବଂ ରକ୍ତ କ୍ୟାନସର ହେବା ଭଳି ରୋଗ ହେବାର ସମ୍ଭାବନା କରିଥାଏ ।

ଛୋଟ ପିଲାଙ୍କ ଉପରେ ପଡ଼ିଥାଏ ପ୍ରଭାବ

ଯେଉଁ ଲୋକମାନେ ଘରେ ଧୂମପାନ କରିଥାନ୍ତି, ସେମାନଙ୍କ ସହ ଘରେ ଥିବା ଛୋଟ ପିଲା ମଧ୍ୟ ଏହାର ଶିକାର ହୋଇଥାନ୍ତି। ଛୋଟ ଛୁଆଙ୍କ ଶରୀରରେ ଏହା ଗମ୍ଭୀର ରୋଗ ସୃଷ୍ଟି କରିବାର ଆଶଙ୍କା ଦେଖାଦିଏ। ଛୋଟ ଛୁଆ ଶୀଘ୍ର ନିଶ୍ୱାସ ନେଉଥିବାରୁ ତାଙ୍କ ଫୁସ୍‌ଫୁସ୍‌କୁ ଶୀଘ୍ର ଏବଂ ଅଧିକ ଧୂଆଁ ଚାଲିଯାଇଥାଏ। ଯେଉଁ ଘରେ ସିଗାରେଟ୍‌ ଏବଂ ବିଡ଼ିର ଅଧିକ ବ୍ୟବହାର କରାଯାଏ ସେହି ଘରର ଛୋଟ ଛୁଆମାନେ ଧୂଆଁରେ ହିଁ ବଡ଼ ‍ହୋଇଥାନ୍ତି। ଯାହା ପରେ ବଡ ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଥାଏ। ସେହିପରି ଗର୍ଭବତୀଙ୍କ ପାଇଁ ମଧ୍ୟ ଏହା ହାନୀକାରକ ହେବା ସହ ଗର୍ଭସ୍ଥ ଶିଶୁର ରୋଗ ପ୍ରତିରୋଧକ କ୍ଷମତା କମାଇ ଦେଇଥାଏ।

ଛାଡ଼ିବେ କିପରି

ଏହା ଆମ ଶରୀର ପାଇଁ କ୍ଷତିକାରକ ଜାଣି ମଧ୍ୟ ଅନେକ ଲୋକ ଏହାକୁ ସେବନ କରିଥାନ୍ତି। କିଛି ଲୋକ ଏହାକୁ ଛାଡ଼ିବାକୁ ଯାଇ ପୁଣି ଦିନେ କି ଦୁଇ ଦିନ ପରେ ପୁରୁଣା ଅଭ୍ୟାସରେ ପଡ଼ିଥାନ୍ତି। ଚେଷ୍ଟାକରି ମଧ୍ୟ ଏଥିରୁ ମୁକ୍ତି ପାଇ ପାରି ନ ଥାନ୍ତି। ଆପଣ ଏହାକୁ ଛାଡ଼ିବାକୁ  ଚାହୁଁଥିଲେ ପ୍ରଥମେ ନିଜ ମନକୁ ନିୟନ୍ତ୍ରଣରେ ରଖନ୍ତୁ। ଅନ୍ୟ ଜଣେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କୁ ଏହି ଅଭ୍ୟାସରୁ ଦୂରେଇ ପାରିବ ନାହିଁ।

ତେଣୁ ଆପଣ ଏଥିପାଇଁ ନିଜର ଏକ ଟାଇମ୍‌ ଟେବୁଲ୍‌ ପ୍ରସ୍ତୁତ କରନ୍ତୁ। ଯେଉଁ ସମୟରେ ଆପଣଙ୍କ ମନ ସିଗାରେଟ୍‌ ବା ତମାଖୁ ଆଡ଼େ ଯାଉଛି, ସେହି ସମୟରେ ଆପଣ କିଛି ଅଲଗା କାମରେ ମନ ଲଗାନ୍ତୁ। ସାଙ୍ଗ ମାନଙ୍କ ସହ ବୁଲାବୁଲି କରିବା ସହ ବହି ମଧ୍ୟ ପଢିପାରିବେ। ଏହା ଏପରି ଏକ ଅଭ୍ୟାସ ଯାହା ଶୀଘ୍ର ଆମ ଉପରେ ପ୍ରଭାବ ପକାଇଥାଏ। ଏବଂ ଏହା ସହଜରେ ଆପଣଙ୍କ ପିଛା ଛାଡ଼ି ନଥାଏ। ତେଣୁ ଏହାକୁ ଛାଡିବା ସମ୍ପୂର୍ଣ୍ଣ ଆପଣଙ୍କ ଉପରେ ନିର୍ଭର କରେ।

Spread the love