ଅଖଣ୍ଡ ସୌଭାଗ୍ୟ ସହିତ ସୁଖସମୃଦ୍ଧି ଆଣିଥାଏ ରାଧାଷ୍ଟମୀ ବ୍ରତ, ଜାଣନ୍ତୁ କେମିତି କରିବେ ପୂଜା

ହିନ୍ଦୁ ଧର୍ମରେ ଭାଦ୍ରବ ଶୁକ୍ଲ ପକ୍ଷର ଅଷ୍ଟମୀ ତିଥିକୁ ରାଧା ଅଷ୍ଟମୀ ଭାବେ ପାଳନ କରାଯାଇଥାଏ । ଏହି ତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବା ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ। ମାନ୍ୟତା ଅନୁଯାୟୀ, ଏହିଦିଗ ଭଗବାନ ଶ୍ରୀକୃଷ୍ଣଙ୍କ ପାଟରାଣୀ ରାଧାଙ୍କର ବିଧିବିଧାନରେ ପୂଜା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଏବଂ ଖୁସି ଆସିଥାଏ। ମହିଳାମାନେ ଅଖଣ୍ଡ ସୌଭାଗ୍ୟବତୀ ହୋଇଥାନ୍ତି। ଏହି ଦିନ ଉପବାସ କରିଥିବା ବ୍ୟକ୍ତି ରାଧାଙ୍କୁ ଧୂପ-ଦୀପ, ଫୁଲ, ଚନ୍ଦନ, ଅକ୍ଷତ, କୁଙ୍କୁମ ଆଦି ଅର୍ପଣ କରିଥାନ୍ତି। ମଧ୍ୟାହ୍ନ ସମୟରେ ଲୋକମାନେ ରାଧାରାଣୀଙ୍କୁ ପୂଜା କରିଥାନ୍ତି । ପାରମ୍ପରିକ ମାନ୍ୟତା ଅନୁଯାୟୀ, ଯେତେବେଳେ ଭଗବାନ ବିଷ୍ଣୁ କୃଷ୍ଣଙ୍କ ଅବତାର ଧାରଣ କରିଥିଲେ ସେହି ସମୟରେ ମା ଲକ୍ଷ୍ମୀ ରାଧାରାଣୀ ରୂପରେ ପ୍ରକଟ ହୋଇଥିଲେ। ଏହି ଦିନକୁ ହିଁ ରାଧା ଜୟନ୍ତୀ ବା ରାଧାଷ୍ଟମୀ ରୂପେ ପାଳନ କରାଯାଏ। ରାଧା ଭଗବାନ କୃଷ୍ଣଙ୍କର ପତ୍ନୀ।

ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ଭଳି ରାଧାଷ୍ଟମୀର ମହତ୍ତ୍ୱ ରହିଛି । କୁହାଯାଏ ରାଧାଷ୍ଟମୀ ବ୍ରତ କଲେ ସବୁ ପାପ ନାଶ ହୋଇଥାଏ । ବିବାହିତ ମହିଳା ରାଧାଷ୍ଟମୀ ବ୍ରତ ଅଖଣ୍ଡ ସୌଭାଗ୍ୟବତୀ, ସୁଖ ସମୃଦ୍ଧି ଓ ଶାନ୍ତି ପାଇଁ ରଖିଥାନ୍ତି । କେବଳ ଏତିକି ନୁହେଁ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ରାଧାଷ୍ଟମୀ ବ୍ରତ ପାଳନ କରାଯାଇଥାଏ । ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ବ୍ୟକ୍ତି ରାଧାଶ୍ରୀଙ୍କୁ ପ୍ରସନ୍ନ କରି ଦିଅନ୍ତି, କୃଷ୍ଣ ଆପେ ଆପେ ପ୍ରସନ୍ନ ହୋଇ ଯାଆନ୍ତି । ତେଣୁ କୁହାଯାଏ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଶ୍ରୀରାଧାଙ୍କୁ ପ୍ରସନ୍ନ କରିବାକୁ ପଡ଼ିଥାଏ । ଶ୍ରୀରାଧାଷ୍ଟମୀ ବ୍ରତ କରିବା ଦ୍ୱାରା ଲକ୍ଷ୍ମୀ ଗୃହକୁ ଆସିଥାନ୍ତି ଓ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ରାଧାଷ୍ଟମୀ ଭଗବାନ ଓ ମନୁଷ୍ୟ ମଧ୍ୟରେ ଏକ ଅଦ୍ୱିତୀୟ ସମ୍ବନ୍ଧର ପ୍ରତୀକକୁ ସୂଚାଇଥାଏ । ଏହା ରାଧା-କୃଷ୍ଣଙ୍କ ନିଃସ୍ୱାର୍ଥ ପ୍ରେମକୁ ଦର୍ଶାଇଥାଏ । ରାଧାଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଲ ଅଷ୍ଟମୀ ତିଥିରେ ହୋଇଥିଲା । ହିନ୍ଦୁଧର୍ମରେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେମିକା ଓ ସଙ୍ଗିନୀ ଭାବେ ଚିତ୍ରିତ କରାଯାଇଥାଏ ।

ରାଧାଷ୍ଟମୀର ଶୁଭ ମୁହୂର୍ତ୍ତ :

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଭାଦ୍ରବ ମାସ ଶୁକ୍ଲ ପକ୍ଷ ଅଷ୍ଟମୀ ତିଥି ଆରମ୍ଭ ହୋଇଛି। ଏହା ଆଜି ୧୦ଟା ୪୦ ପର୍ଯ୍ୟନ୍ତ ରହିବ। ତେଣୁ ଏହି ବ୍ରତକୁ ଲୋକେ ଆଜି ପାଳନ କରୁଛନ୍ତି।

ରାଧାଷ୍ଟମୀ ପୂଜା ବିଧି :

ସକାଳୁ ଗାଧେଇ ନିଜର ନିତ୍ୟକର୍ମ ସାରିଦିଅନ୍ତୁ।

ଏହା ପରେ ପୂଜା ଘରେ ଏକ ଗୋଲ କରି ତା’ର ମଧ୍ୟଭାବରେ ମାଟି କିମ୍ବା ତମ୍ବାର କଳସ ସ୍ଥାପନା କରନ୍ତି।

କଳସ ଉପରେ ତମ୍ବା ପାତ୍ର ରଖନ୍ତୁ।

ଏବେ ଏହି ପାତ୍ରକୁ ବସ୍ତ୍ର ପିନ୍ଧାଇ ସୁସଜ୍ଜିତ କରି ରାଧାଙ୍କ ମୂର୍ତ୍ତି ସ୍ଥାପନା କରନ୍ତୁ।

ତା’ପରେ ରାଧାଙ୍କର ଷୋଡଶ ଉପଚାର ପୂଜା କରନ୍ତୁ।

ପୂଜା ପରେ ଉପବାସ କରିଥିଲେ ଭୋଜନ କରନ୍ତୁ।

ପୂଜା ସରିବା ପର ଦିନ ବିବାହିତା ମହିଳା କିମ୍ବା ବ୍ରାହ୍ମଣଙ୍କୁ ଭୋଜନ କରାଇ ଦକ୍ଷିଣା ଦିଅନ୍ତୁ।

 

Spread the love