ରାଧାପାଦ ଦର୍ଶନ କଲେ ୨ ଲକ୍ଷ ଭକ୍ତ

ସାକ୍ଷୀଗୋପାଳ: ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ବା ପବିତ୍ର ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ଅନୁଷ୍ଠିତ ହୋଇଛି। ଏଥିପାଇଁ ଆଜି ରାଜ୍ୟ ତଥା ରାଜ୍ୟ ବାହାରୁ ୨ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଗତ ରାତିରୁ ଦେବନୀତି ସମ୍ପନ୍ନ କରାଯାଇ ଆଜି ଭୋର ୫ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତମାନେ ବାରିକେଡ୍‌ ମଧ୍ୟରେ ଯାଇ ମା’ଙ୍କର ପାଦ ଦର୍ଶନ କରିଥିଲେ। ଭୋରରୁ ଝିପିଝିପି ବର୍ଷା ଲାଗି ରହିଥିବାରୁ ପ୍ରଥମେ ଭକ୍ତ ସମାଗମ କମ୍‌ ଥିଲା। କିନ୍ତୁ ସକାଳ ୮ଟା ପରେ ଭକ୍ତ ଗହଳି ବଢ଼ିଥିଲା।

ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଥାକିଆ ବାରିକେଡ୍‌ ହୋଇଥିଲା। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସିଂହଦ୍ୱାରଠାରୁ ସାକ୍ଷୀଗୋପାଳ ବଜାର ରେଳ ଫାଟକ ପର୍ଯ୍ୟନ୍ତ ଧାଡ଼ି ହୋଇଥିଲା। ମନ୍ଦିର ପରିସରରେ ଦୀପଦାନ, ଦର୍ଶନ, ଅଁଳା ବୃକ୍ଷ ପରିକ୍ରମା ଓ ପୂଜାର୍ଚ୍ଚନା ପରେ ଉତ୍ତର ଦ୍ୱାର ଦେଇ ଭକ୍ତମାନେ ପ୍ରସ୍ଥାନ କରିଥିଲେ। ତେବେ ଚଳିତ ବର୍ଷ ମଧ୍ୟ ଭିଆଇପି ପାସ୍‌କୁ ନେଇ ସମସ୍ୟା ଉପୁଜିଛି। ଭିଆଇପି ଦର୍ଶନ ସମୟରେ ଉପଯୁକ୍ତ ପରିଚାଳନା ଅଭାବରୁ ସାଧାରଣ ଭକ୍ତ ଦୀର୍ଘ ୩ ଘଣ୍ଟାରୁ ଅଧିକ ଧାଡ଼ିରେ ଠିଆ ହୋଇ ରହିଥିବା ଅଭିଯୋଗ ହୋଇଛି। ବର୍ଷକରେ କେବଳ ଏହି ଗୋଟିଏ ଦିନ ନିମନ୍ତେ ମା’ ରାଧାରାଣୀଙ୍କର ପାଦ ଦର୍ଶନ ନିମନ୍ତେ ଭକ୍ତଙ୍କୁ ସୁଯୋଗ ମିଳିଥାଏ। ପୂର୍ବ ରାତିରୁ ଦେବନୀତି ସମ୍ପନ୍ନ କରାଯାଇ ଠାକୁରାଣୀଙ୍କୁ ଓଡ଼ିଆଣୀ ବେଶ କରାଯାଇଥିଲା। ସେହିପରି ଠାକୁର ଶ୍ରୀଶ୍ରୀ ଗୋପାଳଜିଉ ମଧ୍ୟ ମନୋରମ ନଟବର ବେଶ ହୋଇଥିଲେ।

Spread the love