ମିଜୋରାମରେ ମଣିପୁର ହିଂସାର ତାତି, ରାଜ୍ୟ ଛାଡ଼ିବାକୁ ମେତେଇ ଲୋକଙ୍କୁ ମିଜୋ ଉଗ୍ରବାଦୀଙ୍କ ଚେତାବନୀ

ଇମ୍ଫାଲ : ମଣିପୁର ଘଟଣାକୁ ନେଇ ଦେଶର ପ୍ରତ୍ୟେକ ସ୍ଥାନରେ ଅସନ୍ତୋଷ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ମିଜୋରାମର ପୂର୍ବତନ ଆତଙ୍କବାଦୀଙ୍କ ଏକ ସଂଗଠନ ରାଜ୍ୟରେ ରହୁଥିବା ମେତେଇ ସମ୍ପ୍ରଦାୟର ଲୋକମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ନିଜ ରାଜ୍ୟକୁ ଚାଲିଯିବାକୁ କହିଛି। ସଂଗଠନ କହିଛି ଯେ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ ପରେଡ୍ ଏବଂ ଅସଦାଚରଣକୁ ନେଇ ମିଜୋ ଯୁବକଙ୍କ ମଧ୍ୟରେ ଉତ୍ତେଜନା ବଢିଚାଲିଛି ।

ଆଇଜୋଲର ପୂର୍ବତନ ବିଚ୍ଛିନତାବାଦୀଙ୍କ ସଂଗଠନ ପିସ୍ ଆକୋର୍ଡ ଏମଏନଏଫ ରିଟର୍ଣ୍ଣସ ଆସୋସିଏସନ (ପିଏଏମଆରଏ) ଶୁକ୍ରବାର ଏକ ବିବୃତି ଜାରି କରି କହିଛି ଯେ ମିଜୋରାମରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ମଣିପୁରରେ ଦୁର୍ବୃତ୍ତଙ୍କ ବର୍ବର ଓ ଜଘନ୍ୟ କାଣ୍ଡ ପରେ ମଣିପୁରର ମେତେଇ ଲୋକେ ମିଜୋରାମରେ ରହିବା ଆଉ ସୁରକ୍ଷିତ ନୁହେଁ। ମିଜୋରାମର ସମସ୍ତ ମାଇତାଇ ବାସୀଙ୍କୁ ସୁରକ୍ଷା ଦୃଷ୍ଟିରୁ ନିଜ ରାଜ୍ୟକୁ ଫେରିଯିବାକୁ ସଂଘ ନିବେଦନ କରିଛି।

ମେ’ ୪ ତାରିଖରେ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ବୁଲାଉଥିଲେ। ଯାହାର ଭିଡିଓ ବୁଧବାର ସାମ୍ନାକୁ ଆସିବା ପରେ ସାରା ଦେଶର ଚହଳ ପଡ଼ିଯାଇଛି । ଉକ୍ତ ମହିଳାମାନଙ୍କୁ ମଧ୍ୟ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଉତ୍ତେଜନା ପ୍ରକାଶ ପାଇବା ସହ ସମସ୍ତେ ଏହି ଘଟଣାକୁ ନିନ୍ଦା କରୁଛନ୍ତି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି।

Spread the love