ଐତିହର ବାର୍ତ୍ତାବହ ଯାଜପୁରର ରଘୁନାଥ ମନ୍ଦିର

ଯାଜପୁର, ୨୧/୪: ଐତିହର ବାର୍ତ୍ତାବହ ଯାଜପୁରର ରଘୁନାଥ ମନ୍ଦିର ।  ଯାଜପୁର ସହର ବୈତରଣି ନଦୀ କୂଳରେ ରଘୁନାଥ ମନ୍ଦିର ରହିଛି। ପୁରାଣ ଅନୁସାରେ ପବିତ୍ର ରାମନବମୀ ଦିନ ପ୍ରଭୁଙ୍କ ଜନ୍ମ ଦିନ ପାଳନ କରାଯାଏ । ଏହି ଦିନ ଭୋର ଚାରିଟାରେ ପୂଜକ ପ୍ରଥମେ ଠାକୁରଙ୍କୁ ସ୍ନାନ କରନ୍ତି। ଏହାପରେ ପଞ୍ଚମ ଉପଚାର ପୂଜା କରାଯାଏ । ଏହାର ଠିକ୍ ପରେ ପରେ ପୁଣିଥରେ ପ୍ରଭୁ ରଘୁନାଥଙ୍କର ସ୍ନାନ କରାଯାଏ ।ଏବଂ ଷୋଡ଼ଶ ଉପଚାର ପୂଜା କରାଯାଏ । ପରେ ପରେ ସମସ୍ତ ରୀତି ନୀତି ଅନୁସାରେ ହୋମ , ଆଳତି, ପାଞ୍ଜି ପାଠ ଓ ନିର୍ଦ୍ଧାରିତ ନୀତିକ୍ରାନ୍ତି କରାଯାଏ।
ପ୍ରତିବର୍ଷ ପରି ଦୋଳ ପୂର୍ଣ୍ଣିମାରେ ପ୍ରସ୍ତୁତ ହୋଇଥିବା ପାଞ୍ଜି ରଘୁନାଥଙ୍କ ଜନ୍ମଦିନ ଅବସରରେ ପାଠ କରାଯାଏ । ଯେଉଁଥିରୁ ଭକ୍ତମାନେ ଆସନ୍ତାକାଲିର ଦିନ ବିଷୟରେ ଜାଣିପାରନ୍ତି । ରଘୁନାଥ ମନ୍ଦିରର ପୂଜକ ଜଗନ୍ନାଥ ପାଣି କୁହନ୍ତି ଯେ ପ୍ରଭୁ ରଘୁନାଥଙ୍କର ଜନ୍ମଦିନ ଦିନ ଭକ୍ତ ପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ତାଙ୍କର ଅନ୍ୟ ନାମ ରଘୁନାଥ ହୋଇଥିବାରୁ ରାମନବମୀ ଦିନ ତାଙ୍କର ଜନ୍ମଦିନ ପାଳନ କରାଯାଏ । ଯାଜପୁରର ଏହି ପୁରୁଣା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଯେଉଁମାନେ ମାନସିକ କରନ୍ତି ତାହା ପୂରଣ ହୁଏ ବୋଲି ଲୋକ ବିଶ୍ୱାସ କରନ୍ତି। ବୈତରଣି ନଦୀ କୂଳରେ ଏହି ପୁରୁଣା ମନ୍ଦିରର ରକ୍ଷଣା ବେକ୍ଷଣା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନିୟ ଲୋକେ ଦାବି କରିଛନ୍ତି। କାରଣ ଅବତାର ପୁରୁଷ ହେଉଛନ୍ତି ରାମଚନ୍ଦ୍ର। ସେ କେଉଁଠି ରାମ ରୂପରେ ତ ଆଉ କେଉଁଠି ରଘୁନାଥ ରୂପରେ ପୂଜା ପାଉଛନ୍ତି। ଏବେ କରୋନା ପ୍ରଭାବରେ ସାରା ଦେଶରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ରଘୁନାଥ ମନ୍ଦିରରେ ରାମ ନାବମୀ ପାଳନ ହୋଇଥିଲେ ମଧ୍ୟ ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବା ମନା ଥିଲା। ପ୍ରତିଦିନ ଯାଜପୁର ଓ ପଡୋଶୀ ଜିଲ୍ଲାରୁ ଶହ ଶହ ଭକ୍ତ ପ୍ରଭୁ ରଘୁନାଥଙ୍କୁ ଦର୍ଶନ କରି କୋଟି ପୁଣ୍ୟ ଲାଭ କରିଥାନ୍ତି । ହଜାର ହଜାର ବର୍ଷର ଏହି ପୁରୁଣା ମନ୍ଦିର ଯାଜପୁରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ।

Spread the love