ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା

ଭୁବନେଶ୍ବର: ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା କଂଗ୍ରେସ ଗଣମାଧ୍ୟମ ସେଲ୍‌କୁ ଅଧିକ ସକ୍ରିୟ କରିବାକୁ ନିଷ୍ପତ୍ତି ନେଇଛି। ଦଳ ସ୍ଥିର କରିଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିକୁ ରାଜ୍ୟ ଓ ଜିଲ୍ଲାସ୍ତରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଲଗାତାର ଭାବେ ଲୋକଲୋଚନକୁ ଆଣିବ। ଗଣମାଧ୍ୟମର ସାମ୍ନା କରୁଥିବା ମୁଖପାତ୍ରମାନଙ୍କୁ ଆବଶ୍ୟକ ତଥ୍ୟ ଯୋଗାଇଦେବା ପାଇଁ ଏକ ୫ଜଣିଆ ତଥ୍ୟ ସଂଗ୍ରହକାରୀ କମିଟି ଗଠନ କରାଯାଇଛି। ଏଥିରେ ପିସିସି ଗଣମାଧ୍ୟମ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ବର ବେହେରା, ପଞ୍ଚାନନ କାନୁନ୍‌ଗୋ, ପ୍ରଶାନ୍ତ ଶତପଥୀ, ସୁଦର୍ଶନ ଦାସ ଓ ଅମିୟ ପାଣ୍ଡବ ରହିଛନ୍ତି। ଆସନ୍ତାମାସ ଦ୍ବିତୀୟ ସପ୍ତାହରେ ସମସ୍ତ ଜିଲ୍ଲାର ମୁଖ୍ୟ ମୁଖପାତ୍ରଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ମୁଖପାତ୍ର ସମ୍ମିଳନୀ ଆୟୋଜିତ ହେବ ବୋଲି ଆଜି ପ୍ରଦେଶ କଂଗ୍ରେସର ଗଣମାଧ୍ୟମ ସେଲ୍‌ର ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବିଜେଡି ଓ ବିଜେପି ନିଜର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ସକ୍ରିୟ କରିବା ପାଇଁ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏ ଦୃଷ୍ଟିରୁ କଂଗ୍ରେସ ମଧ୍ୟ ନିଜର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ଅଧିକ କ୍ରିୟାଶୀଳ କରିବା ସହ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତସ୍ତରରୁ କର୍ମକର୍ତାଙ୍କୁ ସାମାଜିକ ଗଣମାଧ୍ୟମରେ ଯୋଡ଼ିବା ପାଇଁ ନିଷ୍ପତ୍ତି ନେଇଛି। ଜନସ୍ବାର୍ଥ ସମ୍ବନ୍ଧିତ ପ୍ରସଙ୍ଗକୁ ନିୟମିତଭାବେ ପ୍ରତି ସପ୍ତାହରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ବ ଦେବାକୁ ଦଳ ପକ୍ଷରୁ କୁହାଯାଇଛି। ବୈଠକରେ ଉପସ୍ଥିତ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର କହିଥିଲେ, ମୁଖ୍ୟମନ୍ତ୍ରୀ ଅତି ଚତୁରତାର ସହ ଅନ୍ୟକୁ ମୋହରା ବନାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ସମସ୍ତ ଅନୀତି ଓ ଅପକର୍ମର ସେ ହେଉଛନ୍ତି ମୁଖ୍ୟ ସ୍ଥପତି। ଏହାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମ ସେଲ୍‌ର ପ୍ରମୁଖ ଭୂମିକା ରହିଛି। ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ୨୦୨୪ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସରକାର ପ୍ରତିଷ୍ଠା କରିବା ଲକ୍ଷ୍ୟ ରହିଛି। ଗଣମାଧ୍ୟମ ସେଲ୍‌ ଏଥିପାଇଁ ସଚେତନ ରହି ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରିବା ଉଚିତ୍। ବୈଠକରେ କଂଗ୍ରେସର ଇସ୍ତାହାର କମିଟିର ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ବିଭୂତି ଭୂଷଣ ମିଶ୍ର, ମନୋରଂଜନ ଦାଶ, ସୁଦର୍ଶନ ଦାସ, ପ୍ରଶାନ୍ତ ଶତପଥୀ, ଅମିୟ ପାଣ୍ଡବ, ପଦ୍ମାକର ଗୁରୁ, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, କୃଷ୍ଣଚନ୍ଦ୍ର ପତି, ରଶ୍ମି ମହାପାତ୍ର, ଅପର୍ଣ୍ଣାଧିର ସିଂହ, ଅମିତ ମହାନ୍ତି, ନାରାୟଣ ଚନ୍ଦ୍ର ଜେନା ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା
ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ। ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ଦଳ ପକ୍ଷରୁ କୁହାଯାଇଛି ଯେ କଂଗ୍ରେସର ପ୍ରମୁଖ ନେତା ଓଡ଼ିଶା ଆସିବା ପୂର୍ବରୁ ଏଥିପାଇଁ ପ୍ରାଥମିକ କ୍ଷେତ୍ର ପ୍ରସ୍ତୁତି କରାଯାଉଛି। ବୁଥସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ବୁଥ କମିଟି ଗଠନ ଶେଷ ହେବ। ରାଜ୍ୟର ୪ଟି ପ୍ରାନ୍ତରେ ବଡ଼ ଶୋଭାଯାତ୍ରା ପାଇଁ ଯୋଜନା କରାଯାଉଛି। ଏବେ ୫ଟି ରାଜ୍ୟରେ ନିର୍ବାଚନ ଚାଲିଛି, ଏହାପରେ ସମସ୍ତ ନେତୃବୃନ୍ଦ ଓଡ଼ିଶା ଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

Spread the love