ଭାରତ ଯୋଡ଼ ଯାତ୍ରାରେ ରାହୁଲ ଗାନ୍ଧିଙ୍କୁ ହତ୍ୟା ଧମକ, ଇନ୍ଦୋରରୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇନ୍ଦୋର: ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ଧମକ୍ । ବ୍ଲାଷ୍ଟ୍ କରି ରାହୁଲ ଗାନ୍ଧିଙ୍କୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଚିଠି । ମଧ୍ୟ ପ୍ରଦେଶର ଇନ୍ଦୋରରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ପୂର୍ବରୁ ଏହି ଚିଠି ଆସିଛି । ଜୂନି ଇନ୍ଦୋର ଥାନା ଅଞ୍ଚଳରେ ଏକ ମିଠା ଦୋକାନରୁ ଚିଠି ମିଳିଛି । ଏଥିରେ ରାହୁଲ ଗାନ୍ଧିଙ୍କୁ ହତ୍ୟା କରିବା ନେଇ ଉଲ୍ଲେଖ ରହିଛି । ଚିଠି ମିଳିବା ପରେ ଛାନବିନ୍ ଆରମ୍ଭ କରିଛି ପୋଲିସ ।

ରାହୁଲ ଗାନ୍ଧିଙ୍କୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଚିଠି ଇନ୍ଦୋର ଏକ ଗୁଜରାତି ମିଠା ଦୋକାନରୁ ମିଳିଛି । ଗୁରବାର ବିଳମ୍ବିତ ରାତିରେ ପୋଷ୍ଟାଲରେ ଏହି ଚିଠି ମିଠା ଦୋକାନକୁ ଆସିଥିଲା । ଏହାକୁ ଶୁକ୍ରବାର ସକାଳୁ ଦୋକାନ ମାଲିକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲା । ଧମକପୂର୍ଣ୍ଣ ଚିଠିକୁ ନେଇ ଏବେ ପୋଲିସ ଓ ଜିଲ୍ଲା ପ୍ରଶାସନର ନିଦ ହଜିଯାଇଛି । ସହରର ବିଭିନ୍ନ ଛକ ମାନଙ୍କରେ ବ୍ଲକିଂ ଓ ଚେକିଂ ଜୋରଦାର କରିଛି ପୋଲିସ । ସିସିଟିଭି ଫୁଟେଜକୁ ଆଧାର କରି ଛାନବିନ୍ ଜାରି ରହିଛି । ଧମକପୂର୍ଣ୍ଣ ଚିଠି ମିଳିବା ପରେ କଂଗ୍ରେସ ଏହାକୁ ବିଜେପିର ବିଧିବଦ୍ଧ ପ୍ଲାନ୍ ବୋଲି କହିଛି । ମଧ୍ୟପ୍ରଦେଶରେ ଭାରତ ଯୋଡ଼ ଯାତ୍ରାକୁ ବନ୍ଦ କରିବାକୁ ଉଦ୍ୟମ ଚାଲିଛି । ଅନ୍ୟପଟେ ଏହାକୁ ବିଜେପି ନେତା ଖଣ୍ଡନ କରିଛନ୍ତି ।

ସେପ୍ଟେମ୍ବର ୭ତାରିଖରୁ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଛି । ତାମିଲନାଡ଼ୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଭାରତ ବିଭିନ୍ନ ପ୍ରାନ୍ତରେ ଚାଲିଛି । ଇନ୍ଦୋରରୁ ଏହି ଚିଠି ମିଳିବା ପରେ ପୋଲିସର ନିଦ ହଜିଯାଇଛି ।

Spread the love