କଂଗ୍ରେସ କ୍ଷମତାକୁ ଆସିଲେ, ଜନତାଙ୍କ ସରକାର :ରାହୁଲ ଗାନ୍ଧି

କଂଗ୍ରେସ କ୍ଷମତାକୁ ଆସିଲେ ମନର କଥା କହିବ ନାହିଁ ବରଂ ଲୋକଙ୍କ ମନକଥା ଶୁଣି ସରକାର ଚଳାଇବ। ଓଡ଼ିଶାରେ ୪-୫ଜଣ ଅଫିସରଙ୍କ ରାଜ୍‌ ନୁହେଁ, ଜନତାଙ୍କ ସରକାର ସ୍ଥାପନ କରାଇବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି। ଏହାସହିତ ମହିଳା ଓ ଚାଷୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସେ ପ୍ରତିଶ୍ରୁତିର ଏକ ଲମ୍ବାଚଉଡ଼ା ଘୋଷଣା କରିଛନ୍ତି।
ଆଜି ଦିନକିଆ ଓଡ଼ିଶା ଗସ୍ତରେ ଆସି ଜୟପୁରରେ ପ୍ରଥମେ ମହିଳା ସମାବେଶ ଓ ପରେ ଚାଷୀ ସମାବେଶକୁ ସମ୍ବୋଧିତ କରିଥିଲେ ରାହୁଲ।

ଜୟପୁରର ଏକମ୍ବାରେ ଦଳର ପରିବର୍ତ୍ତନ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଗାନ୍ଧି କହିଛନ୍ତି ଯେ, ଓଡ଼ିଶାରେ ଏବେ ୪-୫ଜଣ ଅଫିସରଙ୍କ ଦ୍ୱାରା ଶାସନ ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ଧୁମାନେ କୋଟିପତି ପାଲଟୁଛନ୍ତି। ବଡ଼ବଡ଼ ବ୍ୟବସାୟ କରୁଛନ୍ତି ଓ ପ୍ଲେନରେ ବୁଲୁଛନ୍ତି। ଗରିବ, ଖଟିଖିଆ, ଆଦିବାସୀ, ଦୁର୍ବଳ ବର୍ଗ ଓ ମା’-ଭଉଣୀଙ୍କ ସରକାର ଚାଲିନି କିମ୍ବା ସେମାନଙ୍କ କଥା ଶୁଣାଯାଉନି। ମାତ୍ର କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାରେ ଜନତାଙ୍କ ସରକାର ପ୍ରତିଷ୍ଠା କରାଇବ ବୋଲି ଶ୍ରୀ ଗାନ୍ଧି କହିଛନ୍ତି।

ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ସର୍ବଦା ଲଢ଼େଇ କରି ଆସିଛି। କିନ୍ତୁ ଆଦିବାସୀ ଓ ଚାଷୀଙ୍କ ଜମିକୁ ଶିଳ୍ପ ପାଇଁ ମୋଦିଙ୍କ ସହ ମିଶି ନବୀନବାବୁ ଛଡ଼ାଇ ନେଉଛନ୍ତି।

କଂଗ୍ରେସ ଛତିଶଗଡ଼ରେ ନିୟମ କରିଛୁ ଶିଳ୍ପ ନହେଲେ ଜମି ଫେରସ୍ତ କରିବାକୁ ହେବ। ଆଦିବାସୀ ଓ ଚାଷୀଙ୍କ ବିନା ଅନୁମତିରେ, ପଂଚାୟତର ବିନା ଅନୁମୋଦନରେ ସରକାର ଜମି ଅଧିଗ୍ରହଣ କରିପାରିବେ ନାହିଁ।

ଆଉ ଆଦିବାସୀଙ୍କୁ ନିଜ ଜମି ପାଇଁ ବଜାର ଦର ତୁଳନାରେ ୪ ଗୁଣ ଅଧିକ ଦର ମିଳିବ। ଚାଷୀଙ୍କୁ ଏବେ କେନ୍ଦ୍ରର ମୋଦି ସରକାର ଦିନକୁ ସାଢ଼େ ୩ ଟଙ୍କା ଦେଉଛନ୍ତି। ଚାଷୀଙ୍କ ପ୍ରତି ଉପହାସ କରାଯାଉଛି। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ଗରିବଙ୍କୁ ସର୍ବନିମ୍ନ ନିଶ୍ଚିତ ଉପାର୍ଜନ ଦେବ। ପ୍ରତିମାସରେ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ଏହି ଅର୍ଥ ଯିବ, ଯେପର୍ଯ୍ୟନ୍ତ ତାଙ୍କର ଆର୍ଥିକ ସ୍ଥିତିରେ ସୁଧାର ନହୋଇଛି। କଂଗ୍ରେସ ପୂର୍ବରୁ ମନରେଗା, ଖାଦ୍ୟ ସୁରକ୍ଷା ଯୋଜନା, ଚାଷୀ ଋଣ ଛାଡ଼, କମ୍ପ୍ୟୁଟର କ୍ରାନ୍ତି ଭଳି କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରିଥିଲା। ତେଣୁ କଂଗ୍ରେସ ସର୍ବଦା ଗରିବ,ଦଳିତ, ଦୁର୍ବଳ ବର୍ଗ ଓ ମା-ଭଉଣୀଙ୍କ ସ୍ୱାର୍ଥ ପାଇଁ କାମ କରୁଛି।

Spread the love