ମୋଦୀ ସାଙ୍ଗିଆ’ ମାନହାନୀ ମାମଲା: ରାହୁଲ୍‌ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ‘ମୋଦୀ ସାଙ୍ଗିଆ’ ଟିପ୍ପଣୀ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ପ୍ରତି ‌ହୋଇଥିବା ଦଣ୍ଡାଦେଶ ଉପରେ ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି। ରାୟ ଶୁଣାଇ ସୁପ୍ରିମ୍‌ କୋର୍ଟ କହିଛନ୍ତି, ଏହି ମାମଲାରେ ‘ଟ୍ରାଏଲ୍‌ ଜଜ୍‌’ ସର୍ବାଧିକ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି, କିନ୍ତୁ ଦଣ୍ଡାଦେଶ ଗୋଟିଏ ଦିନ କମ୍‌ ହୋଇଥିଲେ ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ। କିନ୍ତୁ, ‘ଟ୍ରାଏଲ୍‌ ଜଜ୍‌’ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ଦର୍ଶାଇ ନାହାନ୍ତି। ତେଣୁ, ଚୂଡ଼ାନ୍ତ ବିଚାର ହେବା ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିଲା। ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଏକଥା ନିଃସନ୍ଦେହ ଯେ, ଆବେଦନକାରୀ ଦେଇଥିବା ଟିପ୍ପଣୀ ରୁଚିକର ନୁହେଁ। ଭାଷଣ ଦେବା ବେଳେ ଆବେଦନକାରୀ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ। କିନ୍ତୁ, ଅଯୋଗ୍ୟତାର ପରିଣାମ କେବଳ ବ୍ୟକ୍ତି ଅଧିକାରକୁ ପ୍ରଭାବିତ କରୁନାହିଁ ଭୋଟର୍‌ମାନଙ୍କୁ ବି ପ୍ରଭାବିତ କରୁଛି ବୋଲି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ବିଚାରପତି ବି.ଆର୍‌. ଗୱାଇ, ପି. ଏସ୍‌. ନରସିଂହ ଓ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ରାହୁଲ୍‌ ଗାନ୍ଧୀ କରିଥିବା ଆବେଦନର ଶୁଣାଣି କରୁଥିଲେ। ସୁରତ ଅଦାଲତ ଦେଇଥିବା ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବାକୁ ପୂର୍ବରୁ ଗୁଜରାଟ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ। ରାହୁଲ୍‌ଙ୍କ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଡ୍‌ଭୋକେଟ୍‌ ଅଭିଷେକ ମନୁ ସିଂହୱି କହିଲେ ଯେ, ବିଚାର ଶେଷ କରାଯାଇ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କିନ୍ତୁ, ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ପ୍ରମାଣ ମିଳିନାହିଁ। ସିଂହୱି ଯୁକ୍ତି ବାଢ଼ିଥିଲେ ଯେ, ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କ ମୂଳ ସାଙ୍ଗିଆ ‘ମୋଦୀ’ ନ ଥିଲା। ସେ ସାଙ୍ଗିଆ ପରିବର୍ତ୍ତନ କରି ‘ମୋଦୀ’ କରିଛନ୍ତି। ସେ ନିଜେ ମଧ୍ୟ କହିଛନ୍ତି ଯେ, ସେ ‘ମୋଧ ବଣିକ ସମାଜ’ ସମ୍ପ୍ରଦାୟର। କିନ୍ତୁ, ଭାଷଣରେ ରାହୁଲ୍‌ ‘ମୋଧ ବଣିକ ସମାଜ’ ସମ୍ପ୍ରଦାୟର କାହାରି ନାଁ ଧରି ନାହାନ୍ତି।

Spread the love