ହମାରେ ଦୋ’ଙ୍କ ଲାଗି ଦେଶରେ ଗରିବୀକୁ ଠେଲି ହୋଇଯାଇଛନ୍ତି ୪ କୋଟି ଲୋକ : ରାହୁଲ

ନୂଆଦିଲ୍ଲୀ ୨୩।୧: ପୂର୍ବତନ କଂଗ୍ରେସ ସଭାପତି ତଥା ୱାଇନାଡ ସାଂସଦ ରାହୁଲ ଗାନ୍ଧି ରବିବାର କେନ୍ଦ୍ର ସରକାରଙ୍କ ବିକାଶ ନୀତିକୁ ଟାର୍ଗେଟ୍ କରିଛନ୍ତି। ଦେଶରେ କେବଳ ‘ହମାରେ ଦୋ’ଙ୍କ ବିକାଶ ଲାଗି ୪ କୋଟି ଲୋକଙ୍କୁ ସରକାର ଗରିବୀକୁ ଠେଲିଦେଇଥିବା ରାହୁଲ ଅଭିଯୋଗ କରିଛନ୍ତି। ଦେଶରେ ବିକାଶ ହୋଇଛି ନିଶ୍ଚିତ, ହେଲେ ଏହା କେବଳ ଦୁଇ ଧନପତି କୁବେରଙ୍କର, ଏଥିଲାଗି ୪ କୋଟିରୁ ଅଧିକ ଦେଶବାସୀଙ୍କ ଭବିଷ୍ୟତକୁ ବାଜି ଲଗାଇ ଦିଆଯାଇଥିବା ରାହୁଲ ରବିବାର ଏକ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ରାହୁଲ ‘ବିଜେପି ଫେଲ ଇଣ୍ଡିଆ’ ହାସ୍ ଟ୍ୟାଗ୍‌ରେ ଏହି ଟ୍ୱିଟ୍‌କୁ ଟ୍ରେଣ୍ଡ କରାଇଥିବା ବେଳେ ଏହି ୪ କୋଟିରେ ପ୍ରତ୍ୟେକ ଜଣେ ଜଣେ ବାସ୍ତବିକ ମଣିଷ ସେମାନେ ସଂଖ୍ୟା ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏହି ୪ କୋଟିରେ ପ୍ରତ୍ୟେକ ବ୍ୟକ୍ତି ଏକ ଉନ୍ନତ କାଲିର ହକଦାର। ଏହି ୪ କୋଟିରେ ଜଣେ ଜଣେ ଭାରତ ଥିବା ରାହୁଲ ଲେଖିଛନ୍ତି। ଏଥିଲାଗି ରାହୁଲ ତାଙ୍କ ଟ୍ୱିଟ୍‌ରେ ଅକ୍ସଫାମର ଏକ ରିପୋର୍ଟ ମଧ୍ୟ ସେୟାର କରିଛନ୍ତି।

ରାହୁଲ ପୋଷ୍ଟ କରିଥିବା ଗ୍ରାଫିକରେ ଦେଶର ଶୀର୍ଷ ଉଦ୍ୟୋଗପତିମାନଙ୍କ ସମ୍ପତ୍ତି ୨୦୨୧ ବର୍ଷରେ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ବଢ଼ିଛି। ତେବେ ଏହା ପୂର୍ବରୁ ୨୦୨୦ରେ ମହାମାରୀ ଯୋଗୁ ଦେଶର ୪ କୋଟିରୁ ଅଧିକ ଲୋକେ ଦାରିଦ୍ର୍ୟ ସୀମା ରେଖାରୁ ପଛକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ଏମାନଙ୍କ କଥା ପରେ କେହି ବୁଝି ମଧ୍ୟ ନାହାନ୍ତି, ଫଳରେ ଦେଶରେ ନୂଆ ଦାରିଦ୍ର୍ୟର ଜନ୍ମ ହୋଇଛି ବୋଲି ରାହୁଲ ଉଲ୍ଲେଖ କରିଛନ୍ତି।

Spread the love