ମହାରାଷ୍ଟ୍ର ରାଇଗଡ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଲା: ମାଟିତଳୁ ବାହାରୁଛି ଦୁର୍ଗନ୍ଧ, ୧୪୪ ଧାରା ଲାଗୁ

ମହାରାଷ୍ଟ୍ର ରାଇଗଡରେ ଘଟିଥିବା ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି । ଏନଡିଆରଏଫ ଟିମ୍‌ ଏପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟଜାରି ରଖିଛି । ଆଜି ସକାଳୁ ଏଠାରେ ଖୋଜାଖୋଜି ଚାଲିଛି । ଏପର୍ଯ୍ୟନ୍ତ ୮୧ ଜଣ ନିଖୋଜ ଥିବା ଜଣାପଡିଛି । ତେବେ ଭୂସ୍ଖଳନ ହୋଇଥିବା ସ୍ଥାନରେ ପଚାସଢା ଦୁଗର୍ନ୍ଧ ବାହାରିଲାଣି । ମାଟିତଳୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ୮୧ ଜଣ ନିଖୋଜ ଥିବା ଉଦ୍ଧାରକାରୀ ଟିମର ଅଧିକାରୀ କହିଛନ୍ତି । ମାଟି ତଳେ ଚାପି ହୋଇ ମୃତଦେହ ସଢିବାରୁ ଲାଗିଲାଣି । ତେଣୁ ଏଠାରୁ ଆଉ କାହାକୁ ଜୀବିତ ଉଦ୍ଧାର କରିବା ଅସମ୍ଭବ ବୋଲି ଅଧିକାରୀ ଜଣକ କହିଛନ୍ତି । ଚାରିଆଡେ ଦୁର୍ଗନ୍ଧ ବ୍ୟାପୁଥିବାରୁ ଇରଶାଲବାଡି ଏବଂ ନାନିବଲୀ ଗାଁରେ ୧୪୪ ଧାରା ଜାରି ହୋଇଛି । ବର୍ତ୍ତମାନ ସୁଦ୍ଧା ୯୮ ଲୋକଙ୍କୁ ଅସ୍ଥାୟୀ ଶିବିର କରି ସ୍ଥାନାନ୍ତର କରାଯାଇଛି ।

ଖବର ମୁତାବକ, ବର୍ଷା ଯୋଗୁଁ ଏକ ଆଦିବାସୀ ଗାଁ ଉପରେ ପାହାଡ ଧସି ପଡିଥିଲା । ଫଳରେ ୪୦ ପରିବାର ଏହାତଳେ ଚାପି ହୋଇ ରହିଛନ୍ତି । ବୁଧବାର ରାତି ୧୨ ଟାରେ ଏହି ଘଟଣା ଘଟିଛି । ପ୍ରବଳ ବର୍ଷା ଯୋଗୁଁ ମାଟି ଧସିବା ଯୋଗୁଁ ପାହାଡ ଖସିପଡିଥିଲା । ଫଳରେ ଆଦିବାସୀ ଗାଁର ୩୦ ଘର ଚାପି ହୋଇଯାଇଥିଲା ।

ଖବର ପାଇ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ ଗୁରୁତରଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି ବୋଲି ରାଇଗଡ଼ ଏସ୍ପି ସୂଚନା ଦେଇଛନ୍ତି। ଗୁରୁବାର ଦିନ ରାୟଗଡରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି।

Spread the love