ଅଗ୍ନିପଥ ବିରୋଧ ପ୍ରଦର୍ଶନ: କ୍ଷତି ସହୁଛି ରେଲୱେ, ୩୬୯ ଟ୍ରେନ ବାତିଲ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଶନିବାର ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ତେବେ ଏହି ହିଂସାତ୍ମକ ପ୍ରଦର୍ଶନରେ ସବୁଠୁ ଅଧିକ କ୍ଷତି ସହିଛି ଭାରତୀୟ ରେଲୱେ । ଆନ୍ଦୋଳନକୁ ନଜରରେ ରଖି ଶନିବାର ୩୬୯ଟି ଟ୍ରେନକୁ ବାତିଲ କରିଛି ରେଲୱେ । ଏଥିରେ ୨୧୦ଟି ମେଲ ଏବଂ ଏକ୍ସପ୍ରେସ ଏବଂ ୧୫୯ ଲୋକାଲ ପାସେଞ୍ଜର ଟ୍ରେନ ସାମିଲ ରହିଛି । ପରେ ଅନ୍ୟ ଦୁଇଟି ଟ୍ରେନକୁ ରେଲୱେ ବାତିଲ କରିଛି।

ଅଗ୍ନିପଥ ଯୋଜନା ଘୋଷଣା ପରେ ଉତ୍ତର ପ୍ରଦେଶ, ବିହାର ସହ ଦେଶର ଅନ୍ୟ ସ୍ଥାନରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ପରେ ଏହି ପ୍ରଦର୍ଶନ ହିଂସକ ହୋଇଥିଲା। ଯୁବକମାନେ ଅନେକ ଟ୍ରେନରେ ନିଆଁ ଲଗାଇବା ସହ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ । ଟ୍ରେନ ସେବା ବାଧାପ୍ରାପ୍ତ ହେବା ଏବଂ ସମ୍ପତ୍ତି ନଷ୍ଟକୁ ନଜରରେ ରଖି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଶନିବାର କହିଥିଲେ, ସରକାର ରେଲୱେର ସମ୍ପତ୍ତି ରକ୍ଷା ପାଇଁ ରେୱଲେ ଅଧିନିୟମକୁ ଅଧିକ ମଜବୁତ କରିବା ଦିଗରେ କାମ କରିବ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅପିଲ କରି ପ୍ରଦର୍ଶନକାରୀଙ୍କୁ ଆଇନକୁ ହାତକୁ ନ ନେବାକୁ ଅପିଲ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ, ସରକାର ଆପଣମାନଙ୍କ ଦାବି ଶୁଣିବାକୁ ପ୍ରସ୍ତୁତ ଏବଂ ଏହାର ସମାଧାନ କରାଯିବ । ପ୍ରଦର୍ଶନକୁ ନଜରରେ ଶୁକ୍ରବାର ୩୪୦ରୁ ଅଧିକ ଟ୍ରେନ ପ୍ରଭାବିତ ହୋଇଥିଲା ଏବଂ ସାତରୁ ଅଧିକ ଟ୍ରେନରେ ନିଆଁ ଲଗାଯାଇଥିଲା।

Spread the love