ଭୁବନେଶ୍ବର: କୋଭିଡ୍ ପରବର୍ତ୍ତୀ ସମୟରେ ଦେଶରେ ରେଳ ଦୁର୍ଘଟଣା ବଢ଼ିଚାଲିଛି। ଟ୍ରାକ୍ରୁ ଟ୍ରେନ୍ ଖସିବା, ଅଧା ବାଟରେ ଖରାପ ସଂଖ୍ୟା ନିୟମିତ ବ୍ୟବଧାନରେ ରିପୋର୍ଟ ହେଲାଣି। କୋଭିଡ୍ ସଂକ୍ରମଣ ଯୋଗୁଁ ଦୁଇ ବର୍ଷ ଧରି ଟ୍ରେନ୍ ଚଳାଚଳ ବହୁ ପରିମାଣରେ ପ୍ରଭାବିତ ହୋଇଥିବାରୁ ଦୁର୍ଘଟଣା କିମ୍ବା ମୃତାହତ ହେବା ନେଇ ସେତେଟା ଖବର ସାମ୍ନାକୁ ଆସି ନ ଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ଜଣେ ବି ବ୍ୟକ୍ତି ମୃତ କିମ୍ବା ଆହତ ହୋଇ ନ ଥିଲେ। ଗୋଟିଏ ପଟେ ଟ୍ରେନ୍ ଚଳାଚଳରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ହେଉଛି। ଅନ୍ୟପଟେ ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବା ଚିନ୍ତାର ବିଷୟ ପାଲଟିଛି। ଏଥିରୁ ବାଦ୍ପଡ଼ିନି ପୂର୍ବତଟ ରେଳପଥ। ୨୦୨୩-୨୪ ଆର୍ଥିକ ବର୍ଷରେ ଏବେ ସୁଦ୍ଧା ୩୦୦ରୁ ଅଧିକ ଜଣଙ୍କ ଜୀବନ ଯାଇଛି। ଦେଢ଼ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଟ୍ରେନ୍ରେ ଛୋଟ ମୋଟ ନିଆଁ ଲାଗିବା ଘଟଣା ୩୦ ଟପିଥିବା ବେଳେ ଟ୍ରେନ୍ ଲାଇନ୍ଚ୍ୟୁତ୍ ହେବା ନେଇ ୧୫ ଘଟଣା ସାମ୍ନାକୁ ଆସିଲାଣି।
ରେଳ ମନ୍ତ୍ରଣାଳୟର ତଥ୍ୟ କହୁଛି, ୨୦୦୦-୦୧ ଆର୍ଥିକ ବର୍ଷରେ ଦେଶରେ ୪୭୩ଟି ରେଳ ଦୁର୍ଘଟଣା ହୋଇଥିଲା। ତା’ପରଠାରୁ ଦୁର୍ଘଟଣା ସଂଖ୍ୟା ପ୍ରତିବର୍ଷ ହ୍ରାସ ପାଉଥିବା ବେଳେ ୨୦୧୪-୧୫ ଆର୍ଥିକ ବର୍ଷରେ ସାମାନ୍ୟ ବଢ଼ିଥିଲା। ୨୦୧୩-୧୪ରେ ୧୧୮ଟି ରେଳ ଦୁର୍ଘଟଣା ହୋଇଥିଲା ଓ ୨୦୧୪-୧୫ରେ ତାହା ୧୩୫କୁ ବୃଦ୍ଧି ପାଇଥିଲା। ସେବେଠାରୁ ୨୦୨୦-୨୧ ପର୍ଯ୍ୟନ୍ତ ଦୁର୍ଘଟଣା ପରିମାଣ କମିବା ସହ ମୃତାହତଙ୍କ ସଂଖ୍ୟା ବି କମିଥିଲା। ତେବେ ୨୦୨୧-୨୨ ଓ ୨୦୨୨-୨୩ରୁ ଦୁର୍ଘଟଣା ସଂଖ୍ୟା ବଢ଼ିଚାଲିଛି। ୨୦୨୧-୨୨ରେ ୩୫ଟି ଓ ୨୦୨୨-୨୩ ଆର୍ଥିକ ବର୍ଷରେ ୪୮ଟି ଦୁର୍ଘଟଣା ହୋଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ଏବେ ସୁଦ୍ଧା ପ୍ରାୟ ୮୦ରୁ ଅଧିକ ରେଳ ଦୁର୍ଘଟଣା ହୋଇଛି। ଓଡ଼ିଶାରେ ବି ରେଳ ଦୁର୍ଘଟଣା ଏବେ ଚର୍ଚ୍ଚାରେ। କେତେବେଳେ ଟ୍ରେନ୍ ଲାଇନ୍ଚ୍ୟୁତ ହେଉଛି ତ ଆଉ କେବେ ଦୁର୍ଘଟଣା ସାମ୍ନା କରୁଛି। କେତେବେଳେ ଗୋଟିଏ ଟ୍ରାକ୍ରେ ଏକାଧିକ ଟ୍ରେନ୍ ଘଟଣା ଲୋକଙ୍କୁ ଆତଙ୍କିତ କରୁଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାରେ ୧୦ରୁ ଅଧିକ ଟ୍ରେନ୍ ଲାଇନ୍ଚ୍ୟୁତ କିମ୍ବା ଦୁର୍ଘଟଣାଗ୍ରସ୍ତ ହୋଇଛି। ବାହାନଗା ରେଳ ଦୁର୍ଘଟଣାରେ ୨୯୭ ଜଣଙ୍କ ଜୀବନ ଗଲା। ଏହାବ୍ୟତୀତ ଏକ୍ସପ୍ରେସ୍ଗୁଡ଼ିକରେ ବାରମ୍ବାର ନିଆଁ ଲାଗିବା ଦ୍ବାରା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି। ଜୁନ୍ ଓ ଜୁଲାଇ ମାସରେ କେବଳ ଓଡ଼ିଶାର ୧୦ଟି ଟ୍ରେନ୍ରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଥିଲା। ସେଥିରୁ ଅଧିକାଂଶ କୋଇଲା ବୋଝେଇ ମାଲବାହୀ ଟ୍ରେନ୍।
ସଟ୍ସର୍କିଟ୍ ଯୋଗୁଁ ଯାତ୍ରୀବାହୀ ଟ୍ରେନ୍ର ୩ଟି ବଗିରେ ନିଆଁ ଲାଗିଥିଲା। ଯାଜପୁରରେ ଟ୍ରେନ୍ ଚକ ତଳେ ୬ଜଣ ଶ୍ରମିକଙ୍କ ଜୀବନ ଯିବା ପରି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଥିଲା। କ୍ଷତିପୂରଣ ବାବଦରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ପ୍ରଦାନ କରିସାରିଲେଣି। ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଟ୍ରେନ୍ ଖରାପ ଓ ଧକ୍କାଠାରୁ ଦୂରେଇ ରହିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ବହୁ ପଦକ୍ଷେପ ନିଆଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଆରଆରଏସ୍କେ ଲାଗୁ କରାଯିବା ସହ ୫ ବର୍ଷ ପାଇଁ ୧ ଲକ୍ଷ କୋଟି ଟଙ୍କାର କପର୍ସ ପାଣ୍ଠି ପ୍ରତିଷ୍ଠା ହୋଇଛି। ମାନବ ବିଫଳତା ଜନିତ ଦୁର୍ଘଟଣା ଦୂର କରିବାକୁ ୨୦୨୩ ମେ’ ମାସ ସୁଦ୍ଧା ୬୪୨୭ଟି ଷ୍ଟେସନରେ ବୈଦ୍ୟୁତିକ/ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ କରାଯାଇଛି। ସୁରକ୍ଷା ପାଇଁ ୧୧,୦୯୩ଟି ଲେଭଲ୍ କ୍ରସିଂ ଗେଟ୍ରେ ଇଣ୍ଟର ଲକିଂ ସୁବିଧା, କୁହୁଡ଼ି ପ୍ରଭାବିତ ଅଞ୍ଚଳରେ ଲୋକୋ ପାଇଲଟଙ୍କୁ ଜିପିଏସ୍ ଆଧାରିତ କୁହୁଡି ସୁରକ୍ଷା ଉପକରଣ, ମାନବ ତ୍ରୁଟି ହ୍ରାସ କରିବାକୁ ପିକ୍ୟୁଆରଏସ୍, ଟିଆରଟି, ଟି-୨୮ ଆଦି ଟ୍ରାକ୍ ମେସିନ୍ ବ୍ୟବହାର କରି ଟ୍ରାକ୍ ଲେଟିଂ କାର୍ଯ୍ୟକଳାପର ଯାନ୍ତ୍ରିକୀକରଣ କରାଯାଇଛି। ରେଳ ଟ୍ରାକ୍ ଉପରେ ପାଟ୍ରୋଲିଂ, ମୌସୁମୀ ସତର୍କତା, ବ୍ରଡ ଗେଜ୍ ମାର୍ଗରେ ଥିବା ସମସ୍ତ ମାନବ ବିହୀନ ସ୍ତର କ୍ରସିଂଗୁଡିକ ହଟାଇବା ପରି ପଦକ୍ଷେପ ନିଆଯାଇଥିବା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।
Post Views: 158