ରାଜ୍ୟ ସରକାରମାନଙ୍କୁ ରେଳ ମନ୍ତ୍ରଣାଳୟର ଅନୁରୋଧ
ଶ୍ରମିକ ସ୍ପେଶାଲ ଟ୍ରେନ ସଂକ୍ରାନ୍ତରେ ଉପଯୁକ୍ତ ଯୋଜନା ଏବଂ ସମନ୍ଵୟ ସୁନିଶ୍ଚିତ କରିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯାଇଛି । ଏଥିସହିତ ଅଟକି ରହିଥିବା ପ୍ରବାସୀଙ୍କ ପରିବହନ ଲାଗି ଆନୁମାନିକ ଦାବି ଉପସ୍ଥାପନ ଅଧିକ ଯୋଜନାବଦ୍ଧ ଓ ବିଚାରଯୋଗ୍ୟ ହେବା ଉଚିତ ବୋଲି ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି।ଶ୍ରମିକ ସ୍ପେଶାଲ ଟ୍ରେନ କେତେକ ସର୍ବାଧିକ ଭିଡ଼ କରିଡରରେ ଯାତାୟାତ କରୁଛି। ଏସବୁ କରିଡରରେ ବିଦ୍ୟୁତ ପ୍ଲାଣ୍ଟ ପାଇଁ କୋଇଲା, ଖାଦ୍ୟଶସ୍ୟ, ସାର, ସିମେଣ୍ଟ ଆଦି ମାଲ ପରିବହନ କରାଯାଉଛି। ଜରୁରୀ ସାମଗ୍ରୀ ପରିବହନ ହେଉଥିବା ଲାଇନରେ ବାଧାମୁକ୍ତ ମାଲ ପରିବହନ ସୁନିଶ୍ଚିତ କରିବା ନିମନ୍ତେ ରେଳବାଇ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଛଡ଼ା କୃଷି ଉତ୍ପାଦ, ଔଷଧ ଏବଂ ଅନ୍ୟ ଜରୁରୀ ସାମଗ୍ରୀ ପରିବହନ ନିମନ୍ତେ ରେଳବାଇ ପକ୍ଷରୁ ବହୁସଂଖ୍ୟକ ନିର୍ଦ୍ଧାରିତ ରେଳ ଚଳାଚଳ କରୁଛି।ରେଳବାଇ ପକ୍ଷରୁ ଆବଶ୍ୟକତା ଅନୁଯାୟୀ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇ ଦିଆଯାଉଥିବା ବେଳେ କେତେକ କ୍ଷେତ୍ରରେ ଦେଖାଯାଉଛି ଯେ ଷ୍ଟେସନକୁ ଯାତ୍ରୀମାନେ ଆସିପାରିନଥିବା କାରଣରୁ ନିର୍ଦ୍ଧାରିତ ଟ୍ରେନଗୁଡ଼ିକୁ ବାତିଲ କରିବାକୁ ପଡ଼ୁଛି। କେତେକ ରାଜ୍ୟ ମଧ୍ୟ ବହୁସଂଖ୍ୟକ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗୃହରାଜ୍ୟକୁ ପଠାଇବା ସମୟରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ଆଣୁନାହାନ୍ତି।
