ଅଗ୍ନିପଥ ବିକ୍ଷୋଭ : ୪ ଦିନରେ ନଷ୍ଟ କଲେ ୭୦୦ କୋଟି ଟଙ୍କାର ରେଳବାଇ ସମ୍ପତ୍ତି, ୭୧୮ ଗିରଫ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ହୋଇଥିବା ହିଂସାକାଣ୍ଡରେ ଦେଶରେ ବିପୁଳ ଆର୍ଥିକ କ୍ଷତି ହୋଇଛି। ବିଶେଷକରି ବିହାରରେ ଅଧିକ କ୍ଷତି ହୋଇଛି। ଗତ ୪ ଦିନ ହେଲା ହୋଇଥିବା ଏହି ହିଂସାକାଣ୍ଡରେ ବିହାରରେ ୧୧ ଇଞ୍ଜିନ ସହ ୬୦ କୋଚ୍ ବିକ୍ଷୋଭକାରୀମାନେ ପୋଡ଼ି ଦେଇଛନ୍ତି। ଏତିକି ଦିନରେ ବିକ୍ଷୋଭକାରୀମାନେ ପାଖାପାଖି ୭୦୦ କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ କରି ଦେଇଛନ୍ତି ବୋଲି ଇଷ୍ଟ-ସେଣ୍ଟ୍ରାଲ ରେଳବାଇର ମୁଖ୍ୟ ପବ୍ଲିକ ରିଲେସନ୍ ଅଫିସର ବିରେନ୍ଦ୍ର କୁମାର କହିଛନ୍ତି।

ତେବେ କ୍ଷତି ସମ୍ପୂର୍ଣ୍ଣ ଆକଳନ କରାଯାଇ ନାହିଁ। ବର୍ତ୍ତମାନ ଏହାର ହିବାସ ଚାଲିଛି। ତେବେ ଅନୁମାନ ଯେ ପାଖାପାଖି ୭୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ବୋଲି ବିରେନ୍ଦ୍ର କୁମାର କହିଛନ୍ତି।ଟ୍ରେନ୍ ପୋଡ଼ି ସହ ରେଳ ଷ୍ଟେସନରେ ଲାଗିଥିବା ଷ୍ଟଲ ଭାଙ୍ଗିବା, ଷ୍ଟେସନ୍‌ ଭିତରେ ପଶି ଲୁଟିବା ଓ ରେଳବାଇ ସମ୍ପର୍କିତ ସମ୍ପତ୍ତି ନଷ୍ଟ କରିଛନ୍ତି ବିକ୍ଷୋଭକାରୀ। ବିହାରରେ ୧୫ ଜିଲ୍ଲାରେ ଏଭଳି ଭଙ୍ଗାରୁଜା ହୋଇଥିବା ରିପୋର୍ଟ ଆସିଛି।

ବିରେନ୍ଦ୍ର କୁମାରଙ୍କ ସୂଚନା ଅନୁସାରେ, ରେଳର ଗୋଟିଏ ସାଧାରଣ କୋଚ୍ ତିଆରି କରିବାକୁ ହେଲେ ସରକାରଙ୍କୁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ସେହିପରି ସ୍ଲିପର କୋଚ୍ ଓ ଏସି କୋଚ୍ ୟୁନିଟ ତିଆରି ପାଇଁ ଯଥାକ୍ରମେ ୧.୨୫ କୋଟି ଓ ୩.୫ କୋଟି ଖର୍ଚ୍ଚ ଲାଗିଥାଏ। ସେହିପରି ଗୋଟିଏ ରେଳ ଇଞ୍ଜିନ ତିଆରି କରିବାକୁ ହେଲେ ସରକାରଙ୍କୁ ୨୦ କୋଟିରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ।ସେହି ଅନୁସାରେ ୧୨ କୋଚ୍ ବିଶିଷ୍ଟ ପେସେଞ୍ଜର ଟ୍ରେନ୍ ଖର୍ଚ୍ଚ ୪୦ କୋଟି ଓ ୨୪ କୋଚ୍ ଟ୍ରେନ୍‌ର ମୂଲ୍ୟ ୭୦ କୋଟିର ଅଧିକ ହୋଇଥାଏ। ବିକ୍ଷୋଭକାରୀ ରେଳବାଇ ସମ୍ପତ୍ତି ନଷ୍ଟ କରିବାରୁ ଭାରତ ସରକାରଙ୍କୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ବର୍ତ୍ତମାନ ରେଳବାଇ ସମ୍ପୂର୍ଣ୍ଣ କ୍ଷତିର ହିସାବ କରୁଛି। ଖୁବ୍‌ଶୀଘ୍ର ଏହାର ରିପୋର୍ଟ ଦିଆଯିବ ବୋଲି ବିରେନ୍ଦ୍ର କୁମାର କହିଛନ୍ତି।

ରେଳବାଇର ସୂଚନା ଅନୁସାରେ, ଏସବୁ ବ୍ୟତୀତ ୬୦ କୋଟି ଯାତ୍ରୀଙ୍କୁ ସେମାନଙ୍କର ଟିକେଟ୍ କ୍ୟାନ୍‌ସଲ କରିବାକୁ ପଡ଼ିଛି। ରେଳଧାରଣା ନଷ୍ଟ କରିବା ଓ ଟ୍ରେନ୍ ରଦ୍ଦ କରାଯିବାରୁ ମଧ୍ୟ ରେଳବାଇକୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ତେବେ ଏତିକିରେ ସରିନାହିଁ। ବିହାରରେ ଏବେ ବି ବିକ୍ଷୋଭ ଜାରି ରହିଛି। ହିଂସାକାରୀମାନେ ଆମ୍ବୁଲାନ୍ସ ଓ ଟ୍ରେନ୍ ଭାଙ୍ଗିବା ଭଳି ଘଟଣା ସାମ୍ନାକୁ ଆସୁଛି। ଶନିବାର ହିଂସା ଘଟଣାରେ ୨୫ ମାମଲା କରାଯାଇଥିବା ବେଳେ ୨୫୦ ମୁଖ୍ୟ ଅଭିଯୁକ୍ତଙ୍କୁ ଗରିଫ କରାଯାଇଛି। ହିଂସାର ୩ ଦିନରେ ବିହାରରେ ମୋଟ ୧୩୮ ମାମଲା ରୁଜୁ ହୋଇଥିବା ବେଳେ ୭୧୮ ଜଣଙ୍କୁ ଗିରଫ କରାଯାଇଛି। ଯେଉଁମାନେ ହିଂସା ଘଟାଇଛନ୍ତି ସିସିଟିଭି ଫୁଟେଜ୍ ଦେଖି ସେମାନଙ୍କୁ ଗିରଫ କରାଯାଉଛି।

Spread the love