୩ରୁ ପୁଣି ବଢିବ ବର୍ଷା

ଭୁବନେଶ୍ୱର, ୩୧|୦୮ : ଲଘୁଚାପ ପ୍ରଭାବ କମିଛି । ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ । ମଙ୍ଗଳବାଠାରୁ ବର୍ଷା ପ୍ରକୋପ ଆହୁରି କମିଯିବ । ଲଗାଣ କିମ୍ବା ପ୍ରବଳ ବର୍ଷା ହେବନି । ଅଳ୍ପ କେତେକ ଜାଗାରେ ହାଲୁକାରୁ ସ୍ୱଳ୍ପ ବା ମଧ୍ୟମ ବର୍ଷା ହୋଇପାରେ । ୨/୩ ଦିନ ଏଭଳି ପାଗ ରହିବ । ୩ରୁ ବର୍ଷା ପୁଣି ସାମାନ୍ୟ ବଢ଼ିପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସୋମବାର ରାଜ୍ୟର ଅଧିକାଂଶ ଜାଗାରେ ପାଗ ଆଂଶିକ ମେଘୁଆ ଥିଲା । କେତେବେଳେ ଖରା ହେଉଥିଲା ତ କେତେବେଳେ ହାଲୁକା ବର୍ଷା । ଦିନ ତମାମ ବର୍ଷା ଏଭଳି ଲୁଚକାଳି ଖେଳିଥିଲା । ବଲାଙ୍ଗିରରେ ୫୦ ମିଲିମିଟର, ଦାରିଙ୍ଗିବାଡ଼ିରେ ୧୬ ମିମି, ବାରିପଦାରେ ୧୫ ମିମି ଓ ମାଲକାନଗିରିରେ ୧୫ ମିମି ବର୍ଷା ହୋଇଥିବାବେଳେ କଟକ, ଭୁବନେଶ୍ୱରରେ ହାଲୁକା ବର୍ଷା ଛିଞ୍ଚିଥିଲା ।

ଚଳିତବର୍ଷ ରାଜ୍ୟରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି । ଜୁନ୍‌ ୧ରୁ ଆଜି ସୁଦ୍ଧା ଯେତିକି ବର୍ଷା ହେବା କଥା, ତା’ଠାରୁ ୨୯% କମ୍‌ ବର୍ଷା ହୋଇଛି । କଟକ, ଖୋର୍ଦ୍ଧା, ଜଗତସିଂହପୁର, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ବାଦ ଦେଲେ ବାକି ୨୫ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ଏଇ ୭ ଦିନ ଭିତରେ (୨୪ ଅଗଷ୍ଟ-୩୦ ଅଗଷ୍ଟ) ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ ବଢ଼ିଛି । ତଥାପି ଏଇ ସପ୍ତାହରେ ୧୧% କମ୍‌ ବର୍ଷା ରହିଛି ।

Spread the love