ବଙ୍ଗୋପସାଗରରେ ଅବପାତ, ୩୦ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର,୨୦/୦୯: ପୁଣି ଏକ ଲଘୁଚାପ । ଆସନ୍ତା ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ୩୦ ପର୍ଯ୍ୟନ୍ତ ଏହା ଜାରି ରହିବ । ବଙ୍ଗୋପସାଗରରେ ଅବପାତ ଫଳରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍‌ମାନେ ପୂର୍ବାନୁମାନ କରିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ବଙ୍ଗୋପସାଗରରେ ଆଗାମୀ କିଛି ଦିନ ମଧ୍ୟରେ ଏକାଧିକ ଲଘୁଚାପ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟଗୁଡ଼ିକ ଦକ୍ଷିଣ ଚୀନ୍‌ ସାଗରରୁ ପଶ୍ଚିମ ଦିଗକୁ ଗତି କରି ମିଆଁମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡ଼କୁ ମୁହାଁଉଛି । ଏହା ମଧ୍ୟରୁ ଗୋଟିଏ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିର ରହିଛି ।

ଯାହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୦ରୁ ୨୨ ତାରିଖ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ଦେଓଗଡ଼, ସମ୍ୱଲପୁର, ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି ।

ସେହିପରି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୪ ତାରିଖରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ୨୫ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ୨୬ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ଥିବା ଜଣାପଡ଼ିଛି । ଏହାର ପ୍ରଭାବରେ ୨୬ ଓ ୨୭ ତାରିଖରେ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଭଦ୍ରକ ଜିଲ୍ଲା ଦେଇ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି । ସେହିପରି ଅନ୍ୟ ଏକ ଘୂର୍ଣ୍ଣିବଳୟ ଉତ୍ତର ପୂର୍ବ ବଙ୍ଗୋପସାଗରରେ ୨୬ ତାରିଖରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ଥିବା ବେଳେ ୨୮ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି ।

ଅପରପକ୍ଷେ କୃଷି ଓ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ସପ୍ତାହେ ପରେ ରାଜ୍ୟରେ ଅବପାତଜନିତ ଭାରୀ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ଉପକୁଳ ଓ ସଂଲଗ୍ନ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ। ବିଭିନ୍ନ ମଡେଲରୁ ଜଣାପଡିଛି ଯେ ଦକ୍ଷିଣ ଚୀନ୍‌ ସାଗରରୁ ଲଘୁଚାପ ବଳୟର ଅବଶିଷ୍ଟାଂଶ ଆସି ୨୩ରେ ମିଆଁମାର ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା କ୍ରମଶ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ । ଉପକୂଳ ନିକଟକୁ ଆସିବା ବେଳକୁ ସମ୍ଭବତଃ ଦୁର୍ବଳ ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ତେବେ ଏହାର ପ୍ରଭାବରେ ୨୬ରୁ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ସହିତ ବର୍ଷା ଆରମ୍ଭ ହେବ । ୩୦ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଭାବ ରହିବ । ୨୭ ଓ ୨୮ରେ ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ରବିବାର କେବଳ ଋଷିକୂଲ୍ୟା ନଦୀର ପୁରୁଷୋତ୍ତମପୁରକୁ ବାଦ ଦେଲେ ଅନ୍ୟ ସବୁଠି ଜଳସ୍ତର ହ୍ରାସ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାହ୍ମଣୀର ଉପରମୁଣ୍ଡରେ ଲହୁଣିପଡ଼ାଠାରେ ୭୪ ମିଲିମିଟର ବର୍ଷା ହୋଇଛି । ସେହିପରି ଦେଓଗଡ଼ରେ ୪୬ ମିଲିମିଟର ଓ ରାଜଗାଙ୍ଗପୁରରେ ୩୦ ମିଲିମିଟର ବର୍ଷା ହୋଇଥିବା ବେଳେ କୋମନାରେ ୪୨ ମିଲିମିଟର, ବରଗଡ଼ରେ ୫୮ ମିଲିମିଟର, ଭୁବନେଶ୍ୱରରେ ୩୭ ମିଲିମିଟର, ବାଲିମୁଣ୍ଡଳିରେ ୭୦ ମିଲିମିଟର ଓ ଚମ୍ପୁଆରେ ୬୩ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ କରିଛି ।

Spread the love