୩୦ ଯାଏଁ ଭିଜାଇବ ଲଘୁଚାପ

ଭୁବନେଶ୍ୱର, ୨୬|୦୭ :   ୨୮ ତାରିଖରେ ବାଂଲାଦେଶ ଓ ଏହା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବା ସହିତ ବର୍ଷା ହେବ । ୩୧ରେ ବର୍ଷା ଛାଡିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଲଘୁଚାପ ପ୍ରଭାବରେ ବାଲେଶ୍ୱର ବ୍ୟତୀତ ସମସ୍ତ ଉପକୂଳ ଓ ସଂଲଗ୍ନ ୧୦ ଜିଲ୍ଲା ସହିତ କେନ୍ଦୁଝର ଓ ଢେଙ୍କାନାଳରେ ୩୧ ପର୍ଯ୍ୟନ୍ତ ସମୁଦାୟ ବର୍ଷା ୨୦ରୁ ୨୫ ମିଲିମିଟର୍‌ରୁ କମ୍‌ ରହିବ । ଭୁବନେଶ୍ୱର ଓ କଟକରେ ୨୮ ଓ ୨୯ରେ ୧୦ରୁ ୧୫ ମିଲିମିଟର ବର୍ଷା ହୋଇପାରେ । ବାଲେଶ୍ୱର ଓ ମୟୂରଭଞ୍ଜରେ ୨୭ରୁ ୩୦ ପର୍ଯ୍ୟନ୍ତ ସମୁଦାୟ ବର୍ଷା ୬୦ରୁ ୧୦୦ ମିଲିମିଟର ଓ ମୟୂରଭଞ୍ଜର କେତୋଟି ସ୍ଥାନରେ ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ୨୯ ଓ ୩୦ରେ ଅଧିକ ବର୍ଷା ହେବ । ବାକି ଜିଲ୍ଲାରେ ସମୁଦାୟ ବର୍ଷା ୪୦ରୁ ୬୦ ମିଲିମିଟର ହେବ । ୨୯ରେ ଅବିଭକ୍ତ କୋରାପୁଟ, କନ୍ଧମାଳ, ବଲାଙ୍ଗୀର ଓ କଳାହାଣ୍ଡି ସହିତ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ୩୦ରେ ଦକ୍ଷିଣ ସୀମାନ୍ତ ଓ ପଶ୍ଚିମ ସୀମାନ୍ତ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ ସୋମବାର ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ବରଗଡ଼, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ତେବେ ଲଘୁଚାପ ପ୍ରଭାବରେ ୨୭ରୁ ବର୍ଷା ବୃଦ୍ଧି ପାଇବା ସହିତ ୩୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ ଆକଳନ କରିଛନ୍ତି ।

ରବିବାର ସକାଳ ୮ଟା୩୦ରୁ ସନ୍ଧ୍ୟା ୫ଟା୩୦ ମଧ୍ୟରେ ବାରିପଦାରେ ୧୧ ମିଲିମିଟର ବର୍ଷା ହୋଇଥିବା ବେଳେ ବଲାଙ୍ଗୀରରେ ୭ ମିଲିମିଟର, ଭୁବନେଶ୍ୱରରେ ୬ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ଅପରପକ୍ଷେ ଗୋଟିଏ ଲଘୁଚାପ ହେବା ସତ୍ତେ୍ୱ ରାଜ୍ୟରେ ୧୧ଟି ଜିଲ୍ଲାରେ ନିଅଁଟିଆ ବର୍ଷା ସ୍ଥିତି ଦେଖିବାକୁ ମିଳିଛି । ଯାହା ଚାଷୀମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗତ ୨୧ ତାରିଖ ସୁଦ୍ଧା ଜାରି ହୋଇଥିବା ସାପ୍ତାହିକ ବର୍ଷା ସମୀକ୍ଷା ରିପୋର୍ଟ ମୁତାବକ ଯାଜପୁର ଜିଲ୍ଲାରେ ସର୍ବାଧିକ ମାଇନସ୍‌ ୮୬ ପ୍ରତିଶତ ନିଅଁଟିଆ ବର୍ଷା ସ୍ଥିତି ରହିଛି ।

ସେହିପରି ବୌଦ୍ଧ ଓ ଝାରସୁଗୁଡ଼ାରେ ୮୫%, ନୂଆପଡ଼ାରେ ୮୩%, କଳାହାଣ୍ଡିରେ ୮୨%, ବଲାଙ୍ଗୀର ଓ ବାଲେଶ୍ୱରରେ ୭୬%, ଦେଓଗଡ଼ରେ ୭୨%, ସୁନ୍ଦରଗଡ଼ରେ ୬୫% ଓ ନବରଙ୍ଗପୁରରେ ୬୪% ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ସେହିପରି ଜୁନ୍‌ ୧ରୁ ଆଜି ସୁଦ୍ଧା ଜାରି ହୋଇଥିବା ରିପୋର୍ଟରେ ୧୨ ଜିଲ୍ଲାରେ ନିଅଁଟିଆ ସ୍ଥିତି ପରିଲକ୍ଷିତ ହୋଇଛି । ୫୯ରୁ ୨୦ ପ୍ରତିଶତ ନିଅଁଟିଆ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରିପୋର୍ଟ ଦର୍ଶାଇଛି ।

Spread the love