ଆସନ୍ତା 7ତାରିଖରୁ ବର୍ଷା ଆରମ୍ଭ

ଆସନ୍ତା ୭ ତାରିଖରୁ ରାଜ୍ୟରେ ବର୍ଷା ହେବ । ସପ୍ତାହେ ଯାଏ ବର୍ଷା ଜାରି ରହିବ । ୧୦ରୁ ୧୨ ତାରିଖ ଯାଏ ଭାରୀ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ । ଉତ୍ତର ଓଡ଼ିଶା ଓ ଉପକୂଳରେ ବି ବର୍ଷା ହେବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି ।

ବୁଧବାରଠାରୁ ରାଜ୍ୟରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସେସ୍‌ର ପ୍ରଭାବ ରହିବ । ଏହାର ପ୍ରଭାବରେ ୭ ତାରିଖରୁ ବର୍ଷା ଆରମ୍ଭ ହେବ । ୧୦ରୁ ୧୨ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିଭଳି ୧୦ରୁ ୧୪ ତାରିଖ ଉତ୍ତର ଓ ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ବୋଲି ଡ.ସାହୁ ଆକଳନ କରିଛନ୍ତି । ତେବେ ସ୍ଥଳଭାଗରୁ ପଶ୍ଚିମା ବାୟୁ ବହିବାର ଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ଶୀତ କମିବ । ଦିନବେଳା କୋହଲା ପାଗ ରହିବ । କିନ୍ତୁ ରାତିରେ ସର୍ବନିମ୍ନ ତାପମାତ୍ରା ବଢିବ ଓ ଶୀତ କମିବ ବୋଲି ସେ କହିଛନ୍ତି । ସେପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ ଆକଳନ କରିଛନ୍ତି । ୧୧ରୁ ୧୩ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ । ସୀମାନ୍ତବର୍ତ୍ତୀ ଆଭ୍ୟନ୍ତରୀଣ ଓଡିଶାରେ ଏହି ତିନି ଦିନରେ ୧୫ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । କେନ୍ଦ୍ରୀୟ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । କିନ୍ତୁ ଉପକୂଳବର୍ତ୍ତୀ ଓଡିଶାରେ ବର୍ଷା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।

ଆଜି ଓଡିଶା ସମେତ ସଂଲଗ୍ନ ରାଜ୍ୟରେ ଗୁରୁଚାପ ସୃଷ୍ଟି ହୋଇଛି । ଆସନ୍ତାକାଲିଠାରୁ ସିଧା ପବନ ବହିବା ବାଧାପ୍ରାପ୍ତ ହେବ । ଫଳରେ ରାଜ୍ୟରେ ଶୀତ କମିବ । ଭୁବନେଶ୍ୱର ସମେତ ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ବଢିବ । ଫଳରେ ଶୀତ କମିବ । ଆଭ୍ୟନ୍ତରୀଣ ଓଡିଶାରେ ୫ରୁ ୯ ତାରିଖ ଯାଏ ୪ଡିଗ୍ରୀ ଶୀତ ବଢିବ । ତେବେ ୯ରୁ ୧୩ ତାରିଖ ଯାଏ ରାଜ୍ୟରେ ଘନ କୁହୁଡି ହୋଇପାରେ ବୋଲି ପ୍ରଫେସର ପଶୁପାଳକ ସତର୍କ କରାଇ ଦେଇଛନ୍ତି । ଦିନବେଳା ବି କୁହୁଡି ରହିବ ବୋଲି ସେ କହିଛନ୍ତି ।

୭ ତାରିଖ ଯାଏ ରାଜ୍ୟରେ ଘନ କୁହୁଡି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଛି । କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

Spread the love