୮ରେ ଭୀଷଣ ବାତ୍ୟାର ରୂପ ନେବ ଲଘୁଚାପ

ଭୁବନେଶ୍ୱର ୦୧/୦୫: ଅସହ୍ୟ ଗ୍ରୀଷ୍ମ ଜ୍ୱାଳାରେ ଛଟପଟ କଲା ଏପ୍ରିଲ । ମେ’ରେ ଦିନ ତାପମାତ୍ରା ପ୍ରକୋପ ଅପେକ୍ଷାକୃତ କମ୍‌ ରହିବ । ହେଲେ ରାତି ତାପମାତ୍ରା ବଢ଼ିବ । ସ୍ୱାଭାବିକଠାରୁ ଉପରେ ରହିବ । ପାଣିପାଗ ବିଭାଗ ଏମିତି ପୂର୍ବାନୁମାନ ଦେଇଛି । ଏକଥା ସତ ହେଲେ ରାତିରେ ବି ଗରମରୁ ଆଶ୍ୱସ୍ତି ମିଳିବନି । ଦିନର ତାତି ପରେ ରାତିରେ ଥଣ୍ଡା ହେବନି ଘରର ଛାତ, କାନ୍ଥ, ଚଟାଣ । ଗରମ ହୁଳା ବାହାରିବ ଘରେ ।

ଏବେ ବି ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା (ସର୍ବନିମ୍ନ) ସ୍ୱାଭାବିକ୍‌ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ମେ ମାସରେ ଅନୁରୂପ ସ୍ଥିତି ଜାରି ରହିବ ଯଦିଓ ଦିନ ତାପମାତ୍ରା କମିବ ।

ଅନ୍ୟପଟେ ଆକଳନ କହିଲାଣି, ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବ । ଯଦିଓ ପାଣିପାଗ ବିଭାଗ ଏନେଇ କୌଣସି ସ୍ପଷ୍ଟ ଚିତ୍ର ଦେଇ ନାହିଁ, କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଏବଂ ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡ. ଶରତ ଚନ୍ଦ୍ର ସାହୁ ସୂଚାଇଛନ୍ତି, ଉତ୍ତର ଆନ୍ଧ୍ର କିମ୍ବା ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ବାତ୍ୟା ।

ଆଇଏମ୍‌ଡି ଆକଳନ ଅନୁଯାୟୀ ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ସୃଷ୍ଟି ହେବ । ଏହା କେତେ ଶକ୍ତିଶାଳୀ ହେବ, ବାତ୍ୟା ରୂପ ନେବ କି ନାହିଁ, ଗତିପଥ କ’ଣ ହେବ, ସେ ନେଇ ଆଇଏମ୍‌ଡି ଏବେ ନିରବ ରହିଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୫ ତାରିଖବେଳକୁ ଲଘୁଚାପ ସୃଷ୍ଟି ହେବା ସହ ୬ରେ ଅବପାତ ଓ ୭ରେ ବାତ୍ୟା ରୂପ ନେଇପାରେ । ୮ ତାରିଖବେଳକୁ ଏହା ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ)ରେ ପରିଣତ ହୋଇପାରେ । ପବନର ବେଗ ୧୨୦ କିଲୋମିଟର ଛୁଇଁବା ଆଶଙ୍କାର ରହିଛି । ଏହା ଉତ୍ତର-ପଶ୍ଚିମଦିଗରେ ୬ ତାରିଖ ପରେ ଗତି କଲେ ଓଡ଼ିଶାକୁ ମୁହାଁଇବା ସମ୍ଭାବନା ରହିଛି । ଅନୁମାନ କରାଯାଉଛି, ପାରାଦୀପରୁ ଶ୍ରୀକାକୁଲମ ବା ଶ୍ରୀକାକୁଲମରୁ ମଛଲିପଟ୍ଟନମ ଭିତରେ ଏହା ସ୍ଥଳଭାଗ ଛୁଇଁପାରେ। ୮ ତାରିଖ ସନ୍ଧ୍ୟା ପରେ ଉପକୂଳରେ ବର୍ଷା ଆରମ୍ଭ ହେବ । ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୩୬ ଘଣ୍ଟା ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ବା ସଂଲଗ୍ନ ଅଞ୍ଚଳରେ ଛୁଇଁଲେ, ଉଭୟ ପବନ ଓ ବର୍ଷା ହେବ ।

ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ପ୍ରାକ୍‌ ଆକଳନ ଅନୁସାରେ ଏହା ବାତ୍ୟା ରୂପ ନେବ । ଅଧିକ ଘନୀଭୂତ ହେଲେ ଭୀଷଣ ବାତ୍ୟା ରୂପ ନେଇପାରେ । ଯାହାକି ୧୦ ତାରିଖବେଳକୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ । ଓଡ଼ିଶାର ତାପମାତ୍ରା ଅଧିକ ରହୁଥିବାରୁ ଏହା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଯଦି ଏମିତି ହୁଏ, ପୁରୀ, ପାରାଦୀପ, କେନ୍ଦ୍ରାପଡ଼ା, ଭଦ୍ରକ ଭିତରେ କୌଣସି ସ୍ଥାନରେ ଏହା ସ୍ଥଳଭାଗ ଛୁଇଁପାରେ ।

ବର୍ତ୍ତମାନ ରାଜ୍ୟରେ ଗୀଷ୍ମର ପ୍ରକୋପ କଲବଲ କରୁଛି । ଉପକୂଳରେ ପାରଦ ଖସିଥିଲେ ମଧ୍ୟ ଶନିବାର ରାଜ୍ୟର ୨୧ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପିଥିବାବେଳେ ୯ଟି ସହର ୪୪ ଡିଗ୍ରୀ ପାର୍‌ କରିଛି । ଟିଟିଲାଗଡ଼ ୪୫.୫ ଡିଗ୍ରୀ ସେଲ୍‌ସିୟସରେ ଛଟପଟ ହୋଇଥିଲା ବେଳେ ବୌଦ୍ଧ ତାତି ୪୫ ଡେଇଁଛି । ପାଣିପାଗ ବିଭାଗର ଆକଳନ ହେଲା, ବର୍ତ୍ତମାନଠାରୁ ରାଜ୍ୟରେ କାଳବୈଶାଖୀ ବଢ଼ିବ । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ୨-୩ ଡିଗ୍ରୀ ଖସିବ । ଅର୍ଥାତ୍‌ ଉପକୂଳରେ ତାପମାତ୍ରା ୩୬-୩୭ ଡିଗ୍ରୀ ପାଖାପାଖି ରହିପାରେ । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୧-୪୩ ଡିଗ୍ରୀ ପାଖାପାଖି ରହିବ । ଅର୍ଥାତ୍‌ ଆଭ୍ୟନ୍ତରୀଣରେ ଏତେ ଶୀଘ୍ର ଆଶ୍ୱସ୍ତି ମିଳିବନି ।

ଡକ୍ଟର ପଶୁପାଳକ କହିଛନ୍ତି, ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ମେ’ ୨ ପରେ ତାପମାତ୍ରା କମିବ । ଆସନ୍ତା ୧୦ ଦିନ ଯାଏଁ ପାରଦ ୩୬ ଡିଗ୍ରୀ ପାଖାପାଖି ରହିବ । ଆଭ୍ୟନ୍ତରୀଣ ଦକ୍ଷିଣର ବଲାଙ୍ଗିର, ସୋନପୁର, ଟିଟିଲାଗଡ଼, ବୌଦ୍ଧ, ଅନୁଗୁଳରେ ସପ୍ତାହେ ପର୍ଯ୍ୟନ୍ତ ତାତି ଜାରି ରହିବ । ୪ରୁ ୬ ତାରିଖ ଭିତରେ ଉପକୂଳର ଅନେକ ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ । ହେଲେ ଗୁଳୁଗୁଳି ଏବେ ଜାରି ରହିବ । ଉତ୍ତର ଆଭ୍ୟନ୍ତରୀଣର ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ତାପମାତ୍ରା ୩ ତାରିଖରୁ କମିବ । ଏମିତିକି ୪୦ ଡିଗ୍ରୀରୁ ଖସିପାରେ ।

Spread the love