ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତାହା ସହ ପଶ୍ଚିମ ଓଡ଼ିଶାର ୪ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା କୁହାଯାଇଛି । ଦେବଗଡ, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଥି ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷାର ପ୍ରଭାବ ରହିବ । ବର୍ତ୍ତମାନ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଜାରି ରହିଛି। କିଛି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଘୁର୍ଣ୍ଣିବଳୟର ପ୍ରଭାବରେ ବର୍ଷା ହେଉଥିବା ବେଳେ ପାରାଦ୍ୱୀପରେ ବି ବର୍ଷା ହେଉଛି । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ହୋଇଛି । ଦେବଗଡ, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୨୦ସେମି ଯାଏଁ ବର୍ଷା ହେବାର ସମ୍ଭାବନା ଥିବା କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ପାରାଦ୍ୱୀପ ରାଡାରରୁ ମିଳୁଥିବା ତଥ୍ୟ ଅନୁଯାୟୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଏବେ ବର୍ଷା ଲାଗି ରହିଛି ।

Spread the love