ରୋହିତ-ଗିଲ୍‌ ଗର୍ଜନ ପରେ ବର୍ଷା: ଆଜି ଅଧାରୁ ଖେଳାଯିବ ଭାରତ-ପାକ୍ ମ୍ୟାଚ୍

କଲମ୍ବୋ: ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଧମାକାଦାର ଆରମ୍ଭ ଅଟିକଯିବା ପରେ ବର୍ଷା ପୁଣି ବାଟ ଓଗାଳିଛି। ଚଳିତ ଏସିଆ କପ୍ ସୁପର୍‌ ଫୋର୍‌ ଅନ୍ତର୍ଗତ ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତ ୨୪.୧ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୧୪୭ ରନ୍‌ କରି ଦୃଢ଼ ସ୍ଥିତିରେ ଥିବାବେଳେ ବର୍ଷା ଓ ଓଦା ପଡ଼ିଆ କାରଣରୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। ନିର୍ଧାରିତ ଖେଳସୂଚୀ ଅନୁସାରେ ଏହି ମ୍ୟାଚ୍ ପାଇଁ ସଂରକ୍ଷିତ ଦିବସ ରଖାଯାଇଥିବାରୁ ସୋମବାର ଭାରତ ସେହି ଅଧା ପାଳି (୨୪.୧ ଓଭର)ଠାରୁ ହିଁ ପୁନଃ ଖେଳିବ। ବର୍ଷା ଅଟକିବା ପରେ ଅନ୍ୟୁନ ୨୦ ଓଭର ଖେଳାଇବାକୁ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ର ଗ୍ରାଉଣ୍ଡ୍ ଷ୍ଟାଫ୍ ଏବଂ ଅମ୍ପାୟାର୍‌ମାନେ ଚେଷ୍ଟା କରିଥିଲେ ମଧ୍ୟ ପୁଣି ବର୍ଷା ଫେରିବାରୁ ଦୁଇ ଅଧିନାୟକ ରୋହିତ ଶର୍ମା ଏବଂ ବାବର ଆଜମଙ୍କ ସହ ଆଲୋଚନା କରି ଅମ୍ପାୟାର୍‌ କ୍ରିସ୍ ଗଫାନି, ରୁଚିରା ପଲିଗୁରୁଗେ ସଂରକ୍ଷିତ ଦିବସରେ ଅବିଶିଷ୍ଟ ଭାଗ ଖେଳାଯିବ ବୋଲି ଘୋଷଣା କରିଥିଲେ। ମ୍ୟାଚ୍‌ ପୂର୍ବ ଭଳି ୫୦ ଓଭର ବିଶିଷ୍ଟ ରହିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। ଏଥି ସହିତ ଭାରତ କ୍ରମାଗତ ୩ ଦିନ ଖେଳିବ ବୋଲି ମଧ୍ୟ ସୂଚନା ମିଳିଛି। କାରଣ ମଙ୍ଗଳବାର ଭାରତ ପରବର୍ତ୍ତୀ ମ୍ୟାଚ୍‌ରେ ଶ୍ରୀଲଙ୍କା ସହ ଖେଳିବାର କାର୍ଯ୍ୟକ୍ରମ ରହିଛି।

ଶତକୀୟ ଭାଗୀଦାରି (୧୨୧)
କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ରବିବାର ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ସାହିନ ସାହା ଆଫ୍ରିଦିଙ୍କ ପ୍ରଥମ ଓଭର‌ ଶେଷ ବଲକୁ ଫାଇନ୍ ଲେଗ୍ ଉପରେ ଛକା ମାରି ରୋହିତ ଶର୍ମା ପ୍ରଥମରୁ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ। ଏହା ପରେ ରୋହିତଙ୍କ ବ୍ୟାଟ୍ ଥମି ଯାଇଥିଲା। ବିଶେଷ କରି ପ୍ରଭାବୀ ବୋଲିଂ କରୁଥିବା ନସିମ୍ ସାହାଙ୍କୁ ସେ ଜଗିରଖି ଖେଳିଥିଲେ। ଅପରପାର୍ଶ୍ବରୁ କିନ୍ତୁ ଆକ୍ରମଣ ଆରମ୍ଭ କରି‌ ଦେଇଥିଲେ ଯୁବ ତାରକା ଶୁବମନ ଗିଲ୍‌। ସାହିନ ସାହ ଆଫ୍ରିଦିଙ୍କ ପ୍ରଥମ ଦୁଇ ଓଭରରୁ ସେ ୨୪ ରନ୍ ଆଦାୟ କରି ତାଙ୍କ ଲୟ ବିଗାଡ଼ି ଦେଇଥିଲେ। ଦୁଇ ଥର କ୍ୟାଚ୍ ସୁଯୋଗ ହାତଛଡ଼ା ହେବାରୁ ଗିଲ୍ ମଧ୍ୟ ଏହାର ଭରପୂର ଫାଇଦା ଉଠାଇଥିଲେ। ଭାରତ ପ୍ରଥମ ପାୱାର ପ୍ଲେ ୧୦ ଓଭରରେ ବିନା କ୍ଷତିରେ ୬୧ ରନ୍ ସଂଗ୍ରହ କରି ନେଇଥିଲା। ଗିଲ୍‌ ୩୭ ବଲ୍‌ରୁ ୫୦ ରନ୍‌ ପୂର୍ଣ୍ଣ କରିବା ପରେ ରୋହିତ ମଧ୍ୟ ତାଙ୍କ ବ୍ୟାଟିଂ ଗିୟର ବଦଳାଇଥିଲେ।

ସଦାବ ଖାନ୍‌ଙ୍କ ଗୋଟିଏ ଓଭରରୁ ୧୯ ରନ୍ ଆଦାୟ କରି ପଛରେ ପଡ଼ିଯାଇନଥିଲେ। ୪୨ ବଲରୁ ମଧ୍ୟ ତାଙ୍କ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଭାରତ ମଧ୍ୟ ମାତ୍ର ୧୩.୨ ଓଭରରେ ୧୦୦ ଅତିକ୍ରମ କରିଯାଇଥିଲା। ପ୍ରଥମ ୨ ଓଭରରେ ୩୧ ରନ୍‌ ବ୍ୟୟ କରିବା ପରେ ସଦାବ କିନ୍ତୁ ନିଜ ତୃତୀୟ ଓଭରେ ରୋହିତଙ୍କଠାରୁ ପ୍ରତିଶୋଧ ନେଇଯାଇଥିଲେ। ଲଙ୍ଗ ଅଫ୍ ଓଭରରେ କ୍ୟାଚ୍‌ ନେଇଥିଲେ ଫହିମ୍ ଅସ୍ରଫ। ପର ଓଭରରେ ସାହିନ୍ ଆଫ୍ରିଦି ତାଙ୍କ ଦ୍ବିତୀୟ ସ୍ପେଲ୍‌ରେ ଗିଲ୍‌ଙ୍କଠାରୁ ମଧ୍ୟ ପ୍ରତିଶୋଧ ନେବାରେ ସଫଳ ‌ହୋଇଥିଲେ। ରୋହିତ (୪୯ ବଲ୍‌ରୁ ୫୬ ରନ୍‌, ୬ ଚୌକା, ୪ ଛକା) ଏବଂ ଗିଲ୍ (୫୨ ବଲ୍‌ରୁ ୫୮ ରନ୍‌, ୧୦ ଚୌକା) ଅର୍ଦ୍ଧଶତକ ପରେ ସୁଯୋଗ ହାତଛଡ଼ା କରିଥିବା ବେଳେ ବର୍ଷା ବନ୍ଦ ବେଳକୁ ବିରାଟ କୋହଲି (୧୬ ବଲ୍‌ରୁ ୮* ରନ୍‌) ଏବଂ କେଏଲ୍ ରାହୁଲ୍ (୨୮ ବଲ୍‌ରୁ ୧୭* ରନ୍‌, ୨ ଚୌକା) ବ୍ୟାଟିଂ କରୁଥିଲେ।

ଆୟର୍‌ ଆହତ, ରାହୁଲ ଖେଳିଲେ
ବିଶ୍ବକପ୍‌ ପୂର୍ବରୁ ଭାରତ ପାଇଁ ପୁଣି ଆହତ ସମସ୍ୟା ଫେରିଛି। ରବିବାର ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଶ୍ରେୟସ ଆୟରଙ୍କ ପିଠି ସମସ୍ୟା ପୁଣି ଦେଖାଦେବାରୁ କେଏଲ୍ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ସହଜ ହୋଇଥିଲା। ୬ ମାସ ପରେ ଭାରତୀୟ ଦଳକୁ ଫେରିଥିବା ଆୟର୍‌ ପୁଣି ବାହାରେ ବସିବାକୁ ବାଧ୍ୟ ହୋଇଛନ୍ତି। ସମାନ ସମୟରେ ଆହତ ସମସ୍ୟାରୁ ଫେରିଥିବା କେଏଲ୍ ରାହୁଲଙ୍କୁ ମଧ୍ୟ ବିଶ୍ବକପ୍‌ ପୂର୍ବରୁ ଦିନିକିଆରେ ଅଭ୍ୟାସ କରିବା ଏବଂ ଲୟ ପରଖିବାର ସୁଯୋଗ ଦିଆଯାଇଛି। ଉଭୟ ଆୟର୍ ଓ ରାହୁଲ ଗତ ସପ୍ତାହରେ ଘୋଷିତ ୧୫ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଭାରତ ମଧ୍ୟ ରବିବାରର ମ୍ୟାଚ୍‌ରେ ଏହି ବାଧ୍ୟବାଧକତା ପରିବର୍ତ୍ତନ ବ୍ୟତୀତ ଆଉ ଏକ ପରିବର୍ତ୍ତନ କରିଥିଲା। ମହମ୍ମଦ ସାମିଙ୍କ ବଦଳରେ ଯଶପ୍ରୀତ୍ ବୁମରା ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି।

Spread the love