୩ ଦିନ ବର୍ଷା : ୨୬ରୁ ବଢ଼ିବ

ଭୁବନେଶ୍ବର : ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଶନିବାର ଦିନ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା‌ରେ ଭଲ ବର୍ଷା ହୋଇଯାଇଛି। ଆସନ୍ତା ୩ ଦିନ ମଧ୍ୟ ରାଜ୍ୟରେ ମୌସୁମୀଜନିତ ବର୍ଷା ଜାରି ରହିବ। ମୌସୁମୀଜନିତ ନିମ୍ନ ଚାପରେଖା ଏବେ ଜୈସାଲମେରରୁ ବାହାରି ଦେସା, ରତ୍‌ଲମ୍‌, ବେତୁର, ଚନ୍ଦ୍ରପୁର, କୋଣ୍ଡାଗାଁଓ ହୋଇ ଗୋପାଳପୁରରୁ ଦକ୍ଷିଣପଶ୍ଚିମରୁ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ଼ ଓ ସମ୍ବଲପୁର ଅଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ, ଗତକାଲି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ କ୍ଷେତ୍ର ଆଜି ଦୁର୍ବଳ ହୋଇଛି। କିନ୍ତୁ ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ଦକ୍ଷିଣପୂର୍ବ ବିଦର୍ଭ ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ରହିଛି। ଏହି ଘୂର୍ଣ୍ଣିବଳୟ ସହ ଦକ୍ଷିଣ ଛତିଶଗଡ଼ ଓ ସଂଲଗ୍ନ ଅଞ୍ଚଳ ଉପରେ ପୂର୍ବରୁ ରହିଥିବା ଘୂର୍ଣ୍ଣିବଳୟଟି ମିଶିଯାଇଛି। ଏହା ଆସନ୍ତା ୨୪ ତା‌ରିଖ ଆଡ଼କୁ ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଉଛି।

ଫଳରେ ରାଜ୍ୟରେ ୨୬ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ରହୁଛି। ବିଶେଷକରି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କା‌ନାଳ ଓ କଟକ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହି ସବୁ ଅଞ୍ଚଳ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକର ପାଗ ମେଘୁଆ ରହିବ। ମଝିରେ ମଝିରେ ବର୍ଷା ମଧ୍ୟ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

Spread the love