ହିଂସା ବିଜେଡିର ମୁଖ୍ୟ ଅସ୍ତ୍ର ସାଜିଛି: ସମୀର ମହାନ୍ତିି

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଗ୍ରାମାଂଚଳରେ ବିଜୁଳି ଖୁଂଟ ଅଛି, କିନ୍ତୁ ଲାଇଟ ଜଳୁନାହିଁ । ଡ୍ରେନ ଓ ସ୍ୱେରେଜ ବ୍ୟବସ୍ଥା ନଥିବା କାରଣରୁ ରାସ୍ତା ଉପରେ ପାଣି ଜମା ରହୁଛି । ଆବର୍ଜନା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ ମାରିଥିବାରୁ ଗ୍ରାମାଂଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ରାଜ୍ୟର ଗ୍ରାମାଂଚଳର ତ୍ୱରାନ୍ୱିତ ବିକାଶ ଓ ଭିତିଭୁମିକୁ ଆହୁରି ଅଧିକ ସୁଦୃଢ କରାଯିବାର ମୁଳ ଉଦ୍ଦେଶ୍ୟ ରଖି ମୋଦି ସରକାର ୧୪ଦଶ ଓ ୧୫ଦଶ ଅର୍ଥ କମିଶନ ଜରିଆରେ ପଂଚାୟତକୁ ସିଧାସଳଖ ଟଙ୍କା ଦେଲେ । ଜନସଂଖ୍ୟା ଆଧାରରେ ୨୦୧୪ ମସିହାରୁ ପ୍ରତି ବର୍ଷ ପଂଚାୟତକୁ ୪୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଦିଆଗଲା । ମାତ୍ର ଦୁର୍ଭାଗ୍ୟର ବିଷୟ, ବର୍ତମାନ ସୁଦ୍ଧା ରାଜ୍ୟର ଅଧିକାଂଶ ଗ୍ରାମାଂଚଳରେ ବିକାଶ ପହଂଚି ପାରିନାହିଁ । ରାଜଧାନୀ ଭୁବନେଶ୍ୱର ଉପକଂଠରେ ଥିବା ଗ୍ରାମାଂଚଳରେ ଆଜି ମଧ୍ୟ ସଠିକ ବିକାଶ ହୋଇପାରିଲା ନାହିଁ । ଶାସକ ବିଜେଡିର ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ରାଜ୍ୟର ଗ୍ରାମାଂଚଳରେ ସଠିକ ବିକାଶ ହୋଇପାରିଲା ନାହିଁ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଚଳିତ ପଂଚାୟତ ନିର୍ବାଚନ ପ୍ରଚାର ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଭୁବନେଶ୍ୱର ବ୍ଲକ ଜୋନ-୨୯ର ନଁପୁଟ ଗ୍ରାମ ପଂଚାୟତର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୁଜିତ କୁମାର ବଳବନ୍ତରାୟ ଏବଂ ଜୋନ-୩୦ର ବରିମୁଣ୍ଡ ପଂଚାୟତର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥିନୀ ସୁସ୍ମିତା ପତିଙ୍କ ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ଏହି ଅବସରରେ ଜିଲ୍ଲା ସଭାପତି ବାବୁ ସିଂ, ଜଟଣୀ ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ବଡଜେନା ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ରାଜ୍ୟରେ ରାଜନୈତିକ ପରିବର୍ତନର ହାୱାକୁ ଉପଲବ୍ଧ କରି ଶାସକ ବିଜେଡି ବର୍ତମାନ ସରକାରୀ କଳ, ବଳ ଓ ଅର୍ଥର ଅପବ୍ୟବହାର କରିବା ସହିତ ବିରୋଧୀମାନଙ୍କୁ ପୋଲିସ ଓ ପ୍ରଶାସନ ସହାୟତାରେ ଭୟଭୀତ କରିବାର ଅପପ୍ରୟାସ ଆରମ୍ଭ କରିଦେଇଛି । ହିଂସା ଶାସକ ବିଜେଡିର ମୁଖ୍ୟ ଅସ୍ତ୍ର ସାଜିଛି । ଦୁର୍ନୀତିମୁକ୍ତ ଓ ଭ୍ରଷ୍ଟାଚାରମୁକ୍ତ ଶାସନ ଜରିଆରେ ଲୋକଙ୍କୁ ସେବା ଏବଂ ସୁଶାସନ ଦେବା ପାଇଁ ଭାରତୀୟ ଜନତା ପାର୍ଟି ସଂକଳ୍ପବଦ୍ଧ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love