ସ୍ମାର୍ଟଫୋନ ସହ ମହିଳାଙ୍କୁ ୩ ବର୍ଷର ମାଗଣା ଡାଟା ପ୍ୟାକ ଦେବେ ରାଜସ୍ଥାନ ସରକାର

ଜୟପୁର: ଚଳିତବର୍ଷ ଶେଷ ଆଡକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହୋଇପାରେ | ଆଉ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏବେ ରାଜ୍ୟ ସରକାର ଲୋଭନୀୟ ପ୍ରତିଶୃତି ଦେବା ଆରମ୍ଭ କରିଛନ୍ତି | ରାଜ୍ୟ ସରକାର ଆଗାମୀ ରକ୍ଷାବନ୍ଧନରେ ୪୦ ଲକ୍ଷ ମହିଳାଙ୍କୁ ମାଗଣାରେ ସ୍ମାର୍ଟଫୋନ୍ ଦେବେ। ଏହି ସ୍ମାର୍ଟଫୋନରେ ତିନି ବର୍ଷର ଇଣ୍ଟରନେଟ୍ ପ୍ୟାକ୍ ମଧ୍ୟ ମିଳିବ | ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଶୁକ୍ରବାର ଏହି ଘୋଷଣା କରିଛନ୍ତି। ଗେହଲୋଟ୍ କହିଛନ୍ତି, “ଆମେ ଚିରଞ୍ଜୀବୀ ଯୋଜନାରେ ଆମେ ସମସ୍ତ ମହିଳାଙ୍କୁ ପରିବାରର ମୁଖ୍ୟ କରିଛୁ। ୧.୩୫ କୋଟି ମହିଳା ଘରର ମୁଖ୍ୟ ହୋଇଛନ୍ତି। ଏହି ମହିଳାମାନେ ତିନି ବର୍ଷର ମାଗଣା ଇଣ୍ଟରନେଟ୍ ସହିତ ସ୍ମାର୍ଟଫୋନ୍ ପାଇବେ | ଆମେ ସ୍ଥିର କରିଛୁ ଯେ ପ୍ରଥମ ପର୍ଯ୍ୟାୟରେ ରକ୍ଷାବନ୍ଧନ ଦିନ ରାଜସ୍ଥାନର ମହିଳାମାନଙ୍କୁ ଏକକାଳୀନ ୪୦ ଲକ୍ଷ ସ୍ମାର୍ଟଫୋନ୍ ଦିଆଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୨ ବଜେଟରେ ଏହି ଯୋଜନା ବାବଦରେ ଘୋଷଣା କରାଯାଇଥିଲା |
ଏହି ଯୋଜନାରେ ପରିବାରଗୁଡିକର ମୁଖ୍ୟ ମହିଳାଙ୍କୁ ସ୍ମାର୍ଟଫୋନ୍ ସହ ତିନି ବର୍ଷ ପାଇଁ ଇଣ୍ଟରନେଟ୍ ସୁବିଧା ଦିଆଯିବ | ଏହା ଅଧୀନରେ ସମସ୍ତ ୧.୩୫ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦିଆଯିବ। ଅବଶ୍ୟ, ଏକାଥରକେ ଏତେ ସଂଖ୍ୟକ ଫୋନ୍ ଉପଲବ୍ଧ ନହେବା ହେତୁ ଏହି ଯୋଜନା କାର୍ଯ୍ୟକାରୀ ହେଉନାହିଁ | ଚଳିତ ବର୍ଷ ଫେବୃଆରୀରେ ସରକାର ବିଧାନସଭାରେ କହିଥିଲେ ଯେ ଚିରଞ୍ଜୀବୀ ଯୋଜନାରେ ପରିବାରର ମହିଳା ମୁଖ୍ୟମାନଙ୍କୁ ମାଗଣା ସ୍ମାର୍ଟ ଫୋନ୍ ଦେବା ପାଇଁ ରାଜ୍ୟ ସରକାର ବଜେଟରେ ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ପାଇଁ ୧୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ଜାନୁୟାରୀ ୩୦, ୨୦୨୩ ପର୍ଯ୍ୟନ୍ତ ଏକ କୋଟି ୩୭ ଲକ୍ଷ ୮୨ ହଜାର ୯୫୧ ପରିବାର ପଞ୍ଜୀକୃତ କରିଛନ୍ତି।

Spread the love